କବିତା-କଲ୍ଲୋଳ

 

 

 

 

 

 

 

 

 

 

କବିତା-କଲ୍ଲୋଳ

ସ୍ୱଭାବକବି ଗଂଗାଧର ମେହେର

 

ଉତ୍ସର୍ଗପତ୍ର

 

ସ୍ୱର୍ଗୀୟ କବିବର ରାୟ ରାଧାନାଥ ରାୟ ବାହାଦୂର ପବିତ୍ରହୃଦୟେଷୁ

ଦେବ,

ଆପଣ ମୋତେ ଯେଉଁ ଅମୂଲ୍ୟ ବାତ୍ସଲ୍ୟ ଧନ ଦେଇ ଯାଇଅଛନ୍ତି, ଆପଣଙ୍କ ଜୀବଦ୍ଦଶାରେ ମୁଁ ତହିଁର କିଛିମାତ୍ର ପ୍ରତିଦାନ କରିନପାରି ଋଣୀହୋଇ ରହିଅଛି । ମୁଁ ଜଣେ ଦୀନ ଅଥଚ ମୋର ହୃଦୟ ମଧ୍ୟ ହୀନ । ପ୍ରତିଦାନର ଉପଯୁକ୍ତ ପଦାର୍ଥ ମୋଠାରେ ଥିବାର ଅସମ୍ଭବ । ଭାବିଥିଲି “କୀଚକବଧ”କୁ ଆପଣଙ୍କ ନାମରେ ଉତ୍ସର୍ଗ କରି ହୃଦୟର କୃତଜ୍ଞତା ମାତ୍ର ପ୍ରତିଦାନ କରି କୃତକୃତାର୍ଥ ହୋଇଥାନ୍ତି । କିନ୍ତୁ ଆପଣଙ୍କ ପ୍ରଦତ୍ତ ମନ୍ତବ୍ୟ ତାହାର ଉତ୍କର୍ଷ ପରିଚାୟକ ଶିରୋଭୂଷଣ ଥିବାରୁ ଆପଣ ତାହା ଗ୍ରହଣ କରିବାକୁ କୁଣ୍ଠିତ ହେବେବୋଲି ତହିଁରୁ ବିରତି ହେଲି ।

 

ଆଜିକାଲି ଅନେକଙ୍କର ଧାରଣା ଯେ, ଅଧିକାଂଶ ଲୋକଙ୍କର ଉତ୍ସର୍ଗ ସ୍ୱାର୍ଥମୂଳକ । ସମ୍ଫ୍ରତି ଆପଣ ସ୍ୱର୍ଗର ଦେବତା । ମୁଁ ସର୍ବସାଧାରଣଙ୍କ ଧାରଣାକୁ ସମର୍ଥିତ କରିବା ଅଭିପ୍ରାୟରେ ଏହି ମୂଲ୍ୟହୀନ “କବିତାକଲ୍ଲୋଳ”ରେ ଭବଦୀୟ ସ୍ୱର୍ଗୀୟ ଆତ୍ମାର ସନ୍ତର୍ପଣ କରୁଅଛି । ମୋହର ଭକ୍ତିର ଅନୁପାତରେ ଆପଣଙ୍କର ତୃପ୍ତି ହୋଇ ମହିମାଯୁକ୍ତ ନାମୋଚ୍ଚାରଣଦ୍ୱାରା ଏହାପ୍ରତି ସାଧାରଣଙ୍କ ଦୃଷ୍ଟି ଆକୃଷ୍ଟ ହେଲେ ମୋହର ସ୍ୱାର୍ଥସିଦ୍ଧି ହେବ । ଇତି ।

 

ସମ୍ବଲପୁର

ଭବଦୀୟ ଚିରଭକ୍ତ

ଇଂ-ତା ୧୨/୦୩/୧୯୧୨

ଶ୍ରୀ ଗଙ୍ଗାଧର ମେହେର

 

ବେଦବ୍ୟାସ

 

ବେଦବ୍ୟାସ ଗିରି ମଞ୍ଜୁ କୁଞ୍ଜମୟ,

ବେଦବ୍ୟାସ ପୂତ ଜନମ ନିଳୟ ।

କାନନକୁସୁମ ପରାୟେ କାନନ-

ମଧ୍ୟରେ ଉତ୍କଳେ କରିଛି ଆସନ ।

ପୂର୍ବଭାଗେ ତାର ସୂତିକା କନ୍ଦର,

ବିବିଧ ପାଦପ ପ୍ରସୂନେ ସୁନ୍ଦର ।

ଭାରତମଣ୍ଡଳେ ଯଥା ନୀଳାଚଳ,

ହୋଇଅଛି ପୁଣ୍ୟନିଚୟେ ଉଜ୍ଜ୍ୱଳ ।

କଣ୍ଟମାଳତୀର ପୁଷ୍ପବହୁଳତା,

ସଙ୍ଗେ ବାଦେ ରତ ତହିଁ କୁଞ୍ଜଲତା ।

ନିଜ ନିଷ୍କଣ୍ଟକ ବିଗ୍ରହ ଲମ୍ବାଇ,

ଦର୍ଶକଙ୍କ ଆଗେ ହେଉଛି ଦେଖାଇ ।

ଜମ୍ବୁନଦ କାନ୍ତି ଚାରୁ ଗନ୍ଧାଫୁଲ,

ଶୋଭାବୃଦ୍ଧି ପାଇଁ ହୋଇଛି ପ୍ରଫୁଲ୍ଲ ।

ଶ୍ୟାମ କିଶଳୟ ପଟଳେ ତା’ ଦୃଶ୍ୟ,

ନୀଳନଭେ ରମ୍ୟ ତାରକା ସଦୃଶ ।

କେତେ ଅତିଥିଙ୍କ ନାମ-ମାଳା ବହି,

ସାଧୁଭାବେ ଅଛି କ-ପାଦପ ରହି ।

ଯା’ କରେ ହୋଇଛି ଖୋଦିତ ବିଗ୍ରହ,

ତା’ ନାମ ଜପୁଛି ପ୍ରକାଶି ଆଗ୍ରହ ।

ନ ହୋଇ ବିଶାଳ ଊର୍ଦ୍ଧ୍ୱେ ଟେକି ମୁଣ୍ଡ,

ଶାଳ ତରୁଗଣ ହୋଇଛନ୍ତି ରୁଣ୍ଡ ।

କୁସୁମ ଚାମର ଢାଳନ୍ତି ସେ ସନ୍ତେ,

ଅତିଥି ହୁଅନ୍ତି ଯେ ତହିଁ ବସନ୍ତେ ।

୧। ଗାଙ୍ଗପୁର ରାଜ୍ୟର ନାଗରା ଜମିଦାରୀସ୍ଥ ଏକ ପର୍ବତ ।

 

କର୍କଶ ବିଗ୍ରହ ତିନ୍ଦୁକ ପାଦପ,

ଛାୟା ଦେଉଅଛି ଉଚ୍ଚେ କରି ଦର୍ପ ।

ବାହାରେ କର୍କଶ ଦିଶିଲେ କି ହେବ,

ଉଚ୍ଚେ ସେ ରହିବ ଯେହୁ ଶାନ୍ତି ଦେବ ।

ମଧ୍ୟେ ମଧ୍ୟେ କେଳି କଦମ୍ବନିଚୟ,

ଉଠି ମଣ୍ଡିଛନ୍ତି ରମ୍ୟ ଶିଳୋଚ୍ଚୟ ।

ପ୍ରାବୃଟ ସମୟ ହେଲେ ସମାଗତ,

କୁସୁମାର୍ଘ ଧରି କରନ୍ତି ସ୍ୱାଗତ ।

ଗିରିପାଦେ ଗିରି ଗରବ ସମ୍ଭୂତ,

ଜଳେ ପୂର୍ଣ୍ଣ ବେଦବ୍ୟାସ ସ୍ନାନେ ପୂତ ।

ସରସ୍ୱତୀ କୁଣ୍ଡୁଁ ବହେ ସରସ୍ୱତୀ,

କ୍ଷୀଣାଙ୍ଗୀ ଉତ୍କଳେ ଯଥା ସରସ୍ୱତୀ ।

ନିକଟରେ ଶଙ୍ଖ ସ୍ରୋତ ସଙ୍ଗ ପାଇ,

ଦେଉଅଛି ନିଜ ଜୀବନ ମିଶାଇ ।

ସଂସ୍କୃତ ଭାରତୀ ଉତ୍କଳେ ଯେସନ,

ମିଶ୍ରିତ କରିଛି ନିଜ ଅପଘନ ।

ଉତ୍ତର ଦିଗରୁ ବହିଆସି ଶଙ୍ଖ,

ଏଠାରେ ଲଭିଛି କୋଇଲିର ଅଙ୍କ ।

ଏକ ଅଙ୍ଗେ ଦୁହେଁ ଯାଉଛନ୍ତି ବହି,

ପବିତ୍ର ‘ବ୍ରାହ୍ମଣୀ’ ନାମଟିକୁ ବହି ।

ବିମିଶ୍ରିତ ହେଲେ ବିଭିନ୍ନ ବରଣ,

ଭିନ୍ନ ନାମ ସଦା କରନ୍ତି ଧାରଣ ।

ନଦୀରୁ ଦେଖିଲେ ବ୍ୟାସ ଜନ୍ମଦରୀ-

ସାନୁଦୃଶ୍ୟ ନିଏ ମନୋଦୁଃଖ ହରି ।

ଥିଲେହେଁ ଅନେକ ଗୁଳ୍ମ ମହୀରୁହ,

ଆବାଳ ବୃଦ୍ଧର ନୁହେଁ ଦୁରାରୁହ୍ୟ ।

ସରିତଶଯ୍ୟାରୁ ସାନୁବକ୍ଷ ଯାଏ,

ସୁରମ୍ୟ ସୋପାନପଂକ୍ତି ଶୋଭା ପାଏ ।

ତହିଁ ସମତଳେ ମଣ୍ଡପ ଶୋଭିତ,

ତହୁଁ ଉର୍ଦ୍ଧ୍ୱେ ପୁଣି ସୋପାନ ଉତ୍‌ଥିତ ।

ବ୍ୟାସ ଜନ୍ମସ୍ଥଳେ ପ୍ରଶସ୍ତ ପ୍ରାଙ୍ଗଣ,

ଛାୟା ଦେଉଛନ୍ତି ତାକୁ ତରୁଗଣ ।

ତହୁଁ ଉପରକୁ ସୋପାନରେ ଚଳ,

ସାନୁଶିର ସୁଧା-ଲିପ୍ତ ସମତଳ ।

ପୁଣି ସୋପାନରେ ହୁଅ ସମୁତ୍‌ଥିତ,

ଶିଖର ମଣ୍ଡପେ ହେବ ଉପସ୍ଥିତ ।

ଏ ମଣ୍ଡପ ସାନୁ ମୁକୁଟ ସଦୃଶ,

ଦର୍ଶକ ନୟନେ ଦୂରୁ ହୁଏ ଦୃଶ୍ୟ ।

ବେଦବ୍ୟାସଙ୍କର ଲଭି ସୁପ୍ରସାଦ,

ଅନିରୁଦ୍ଧ ସହ ଚୈତନ୍ୟପ୍ରସାଦ ।

ପ୍ରାସାଦର ପନ୍ତି ସାଧାରଣ ଅର୍ଥେ,

କରି ଦେଇଛନ୍ତି ସାଧାରଣ ଅର୍ଥେ ।

ଜନଗଣ ମୁଖୁଁ ପାଇ ସେ ସମ୍ବାଦ,

କିଏ ବା ନ ଦେବ ତାଙ୍କ ଧନ୍ୟବାଦ ।

ଯାହା କଲେ ହୋଇପାରେ ଲୋକହିତ,

ସ୍ୱାର୍ଥ ନ ଥିଲେହେଁ କରିବା ବିହିତ ।

ଲୋକହିତ-କର୍ମ ମାନବ ଧରମ,

ତାହା ସିନା ତାର ଉଦ୍ଦେଶ୍ୟ ପରମ!

ଲୋକହିତେ ଯେଉଁ ଲୋକ ଧନ-ପଣ-

ମନ ବିୟୋଗରେ ହୁଅନ୍ତି କୃପଣ ।

ସେମାନେ କେବଳ ନିଜ ପାଇଁ ନର,

ଧର୍ମ-ଜଗତର ଅପୁଚ୍ଛ ବାନର ।

ଏଠାରେ ମୋ ସ୍ମୃତି କଲା ସୁଧାପାନ,

ଚଢ଼ି ବୁଢ଼ାରଜା ଶିଖରୀ-ସୋପାନ ।

ମନ ଗଲା ତାରା-ତାରିଣୀ ପୟରେ

ପାବଚ୍ଛ ପଥରେ ଉଠି ନିର୍ଭୟରେ ।

ତହୁଁ ଜବେ ଯାଇ ପାପକ୍ଷୟ ଘାଟ,

ସୋପାନେ ନ୍ୟଗ୍ରୋଧ ତଳେ କଲା ନାଟ ।

 

୧। ଅନିରୁଦ୍ଧ ପଟେଲ-ଗାଙ୍ଗପୁର ରାଜ୍ୟର ଦେବାନ ଓ ଚୈତନ୍ୟପ୍ରସାଦ ତହିଁରେ ଜଣେ ଡାକ୍ତର ଅଟନ୍ତି ।

 

ନ ପାରିଲା ପଶି ନୃସିଂହନାଥରେ,

ଗ୍ରୀଷ୍ମକାଳେ ଯହିଁ ଶୀତେ ତନୁ ଥରେ ।

ଦୁରାରୋହ ଗିରି ଚଢ଼ିବାକୁ ଡର,

ଅତିଥି-ବିଶେଷେ ଧରେ ପୁଣି ଜ୍ୱର ।

ନାରଙ୍ଗ ରଙ୍ଗରେ ମନୋହର ବନ,

ତରୁରାଜି ଉଠି ଚୁମ୍ବନ୍ତି ଗଗନ ।

କରିବାକୁ ଡରି ଗିରି ବିଚରଣ,

ଦୂରୁ ପ୍ରଣମିଲା ନୃସିଂହଚରଣ ।

ପ୍ରଣମିଲା ହରିଶଙ୍କର ପୟରେ,

ବାହୁଡ଼ି ଆସିଲା କ୍ଷୋଭ ବିସ୍ମୟରେ ।

ମୁକୁଟ-ମଣ୍ଡପେ ଆସ ଏବେ ଯିବା,

ବ୍ୟୋମଯାନଚଢ଼ା ସୁଖରେ ମଜ୍ଜିବା ।

ତହିଁ ଥାଇ ଥରେ ବୁଲାଇ ନୟନ,

ମନେ କର ନବ ଭାବ ଆନୟନ ।

ଦୂରେ ଚଉଦିଗେ ଧରାଧରରାଜି,

ପ୍ରାଚୀର ପରାଏ ଅଛନ୍ତି ବିରାଜି ।

ଚକ୍ରବ୍ୟୂହ କି ତା’ ହୋଇଛି ରଚିତ,

ପାପ ଆକ୍ରମଣୁ ହେବାକୁ ରକ୍ଷିତ ।

କ୍ଷଣେ ରହି ପୁଣି ଘୁଞ୍ଚାଇ ଚରଣ,

ବେଦୀ ପରମ୍ପରେ କର ବିଚରଣ ।

ନିଶ୍ଚୟେ ମାନସେ ହେବ ଅଭିଳାଷ,

କରିବାକୁ ମଧୁ ପ୍ରଦୋଷେ ବିଳାସ ।

ପୃଷ୍ଠଭାଗେ ଦେଖ ସୁରମ୍ୟ ଅଟବୀ,

ଘନ କିଶଳୟ ତରୁ ଶ୍ୟାମଛବି ।

କୃଷ୍ଣସାରଙ୍କର ପ୍ରିୟ ଲୀଳାସ୍ଥଳ,

ବିହରନ୍ତି ଯହିଁ ବିହଙ୍ଗପଟଳ ।

ମଧ୍ୟେ ପୁଷ୍କରିଣୀ କାନନ-ଦର୍ପଣ,

ଦେଖି କର ମନ ନୟନ ତର୍ପଣ ।

ଜଳେ ତା’ର ଶ୍ୱେତ ରକତ କୁମୁଦ,

ଫୁଟି ଦେଉଛନ୍ତି ମାନସକୁ ମୁଦ ।

ସେ କୁସୁମ ତହିଁ ଥିବାରୁ ଅଳପ,

ଭାବୁକ-ହୃଦୟେ ପକାନ୍ତି ତଳପ ।

ତାପରେ ଉତ୍ତର, ପୂରୁବ, ଦକ୍ଷିଣ-

ଦୃଶ୍ୟରେ କରାଅ ଦୃଷ୍ଟି ପ୍ରଦକ୍ଷିଣ ।

ସାନୁତଳ ଦେଶେ ଶ୍ରୀଚନ୍ଦ୍ରଶେଖର,

କୁସୁମବାଟିକା ମଧ୍ୟେ ମନୋହର ।

ସମୀପେ ଶଙ୍ଖର ଅଗଭୀର ଧାର,

ନମୁଛି ଶଙ୍କର ପଦେ ବାରମ୍ବାର ।

ତା’ପରେ କୋଇଲି ପ୍ରବାହ ଗଭୀର,

ନିର୍ଭୟରେ ଯହିଁ ବିହରେ କୁମ୍ଭୀର ।

ମଧ୍ୟେ ଶୁଭ୍ର ବାଲି ତ୍ରିକୋଣପୁଳିନ,

କ୍ରମ-ସୂକ୍ଷ୍ମ ଶିର ଜଳେ କରେ ଲୀନ ।

ପୃଷ୍ଠଭାଗେ ତାର ତ୍ରିକୋଣ ଆକାର,

ବନଭୂମି ଅନ୍ତରୀପ ପରକାର ।

ଉଭୟ ପାର୍ଶ୍ୱରେ ଶୁଭ୍ର ବେନି ନଦୀ,

ଦିଶନ୍ତି ଯେସନେ ଚିତା ରାମାନନ୍ଦୀ ।

ଜୀବ ବ୍ରହ୍ମ ପ୍ରାୟେ ତଟିନୀଯୁଗଳ,

କେତେ ଦୂରୁଁ ବହିଆସି ଅନର୍ଗଳ ।

ଏକ ହୋଇ ଏହି ପବିତ୍ର ଧାମରେ,

ଅଭିଖ୍ୟାତ ହେଲେ ବ୍ରାହ୍ମଣୀ ନାମରେ ।

କିବା ଶଙ୍ଖ ପୁଂଶ କୋଇଲି ଯୋଷିତ,

ସଙ୍ଗମେ ବ୍ରାହ୍ମଣୀ ହୋଇଛି ଜନିତ ।

ଲାମ୍ପଟ୍ୟ ଫଳର ଦେବା ପାଇଁ ସାକ୍ଷ୍ୟ,

ପାଷାଣ ସ୍ୱରୂପ ହୋଇ ସହସ୍ରାକ୍ଷ ।

ଶଙ୍ଖଗର୍ଭେ ଛନ୍ତି ଯାଇ ସନ୍ନିକଟ,

ଦେଖ ନେତ୍ର ସବୁ ହେଉଛି ପ୍ରକଟ ।

ତହୁଁ ଦୃଷ୍ଟି ଯେବେ ବନ ଶିରେ ଚଳେ,

ଦେଖିବ ଅଦୂରେ ବ୍ରାହ୍ମଣୀ ଅଚଳେ ।

ତରୁ ବକ୍ଷେ ତରୁ, ତରୁ ତାର ବକ୍ଷ

ଭେଦି ଉଭା ହୋଇଛନ୍ତି ଲକ୍ଷ ଲକ୍ଷ ।

ଯା’ ସଙ୍ଗେ ଯାହାର ନାହିଁ ତାରତମ୍ୟ,

ସେ ଦିଶୁଛି ଉଚ୍ଚେ ଥାଇ ଉଚ୍ଚତମ ।

ଏହିପରି ସିନା ସଂସାର-ଗହନେ,

ଉଚ୍ଚ ଉଚ୍ଚତର ହୋଇଛନ୍ତି ଜନେ ।

ମଧ୍ୟେ ରହିଅଛି କାନନ ପଥର,

ମାନବୀ ଆକୃତି ବ୍ରାହ୍ମଣୀ ପଥର ।

ବୃଷ୍ଟି ବିନା ଯେବେ ହୁଅନ୍ତି ଆକୁଳ,

ଅନାର୍ଯ୍ୟ କୃଷକ ସୀମନ୍ତିନୀକୁଳ ।

ସେହି ମୂରତିର କରନ୍ତି ଅର୍ଚ୍ଚନା,

ବନଫୁଲେ କରି ସୁବେଶ ରଚନା ।

ମଖାଇ ସିନ୍ଦୂର କଜ୍ଜ୍ୱଳ ହଳଦୀ,

କର୍ଦ୍ଦମ ଗୋମୟ ଦେଇଥାନ୍ତି ଲଦି ।

ତାହେଲେ ଅଚିରେ ବରଷି ବାସବ,

ପ୍ରକ୍ଷାଳନ କରିଦିଅନ୍ତି ସେ ସର୍ବ ।

ଏଣୁ ସେ ମୂର୍ତ୍ତିକି ବୋଲନ୍ତି ଅହଲ୍ୟା,

ଇନ୍ଦ୍ରମନ-ଲୌହ ଚୁମ୍ବକ ଅବଳା ।

ମୋହନାର ଚାହିଁ ପାଷାଣ ମୂରତି,

ପାଶେ କି ପାଷାଣ ରୂପ ସୁରପତି ?

ଅଦ୍ୟାପି ଇନ୍ଦ୍ରଙ୍କ ଯାଇ ନାହିଁ ଆଶ,

ସୁରନାଥ ହୋଇ ସ୍ୱଭାବର ଦାସ ।

ସମ୍ମୁଖରେ ଦେଖ ଗୌତମ ପର୍ବତ,

ବନଲକ୍ଷ୍ମୀଙ୍କର ଶ୍ୟାମ ତମ୍ବୁବତ ।

ତା’ ପଛକୁ ସାନୁ ଯୁଗଳ ବର୍ତ୍ତୁଳ,

ମୁଖଶାଳା ସହ ଦେଉଳର ତୁଳ ।

ତାଙ୍କ ପଛେ ରାଜେ ପରାଶର ଗିରି,

ଧରି ଦୃଷ୍ଟିରମ୍ୟ ନୀଳବର୍ଣ୍ଣ ଶିରୀ ।

ଥିଲା ପରାଶର ପୁଣ୍ୟାଶ୍ରମ ଖ୍ୟାତ,

ତେଣୁ ସେହି ନାମେ ହୋଇଛି ଆଖ୍ୟାତ ।

ଏହିଠାରୁ ଆସି ପରାଶର ଯତି,

ଭେଟିଲେ ବ୍ରାହ୍ମଣୀକୂଳେ ସତ୍ୟବତୀ ।

ସତ୍ୟବତୀ ପିତା ଥିଲେ ଦାସପତି,

ପାଶେ ରହିଅଛି ତାହାଙ୍କ ବସତି ।

ନାହିଁ ସିନା ତାଙ୍କ ନିବାସ ଆଗାର,

ରହିଅଛି ବାସଭୂମି ସ୍ତୂପାକାର ।

ଚତୁର୍ଦ୍ଦିଗେ ତାର ବେଢ଼ିଛି ପରିଖା,

ନିକଟକୁ ଯାଇ କର ତା’ ପରୀକ୍ଷା ।

ଅଦ୍ୟାବଧି ଦାସ-ବଂଶଧରମାନେ,

ଅଛନ୍ତି ଏ ରାଜ୍ୟେ ବହୁପରିମାଣେ ।

ଗଡ଼ଖାଇ ଦେଖି ଯଦି ବୋଲ ସାନ,

କର୍କରେ ତୁଲ୍ୟ କି ପ୍ରକାଣ୍ଡ ପାଷାଣ ।

ଦେଖ ଗୋବର୍ଦ୍ଧନ ପ୍ରଭାସ ପୁଷ୍କର,

ଯାହାଙ୍କ ମହତ୍ତ୍ୱ କଳନ ଦୁଷ୍କର ।

ପୁରାଣରେ ଅଛି ଯେ ରୂପ ଉଲ୍ଲେଖ,

ଆଉ କି ସେମାନେ ସେହିପରି ଦେଖ ?

ପ୍ରତିଭା-ପ୍ରଦତ୍ତ ପ୍ରତିଚକ୍ଷୁ ଲଭି,

ସାନକୁହିଁ ବଡ଼ ଦେଖିଥାନ୍ତି କବି ।

ବ୍ରାହ୍ମଣୀ ନଦୀର ଅପ୍ରଶସ୍ତ ଧାର,

କୁମାରୀ ନାବିକା କରୁଥିଲା ପାର ।

ମୁନି ଦାସସୁତା ନଉକାରେ ବସି,

ମୁଗ୍‌ଧ ହେଲେ ତାର ରମ୍ୟ ରୂପେ ରସି ।

ବାଞ୍ଛିଲେ ସଙ୍ଗମ ବିଧାନ ନ ହୁଡ଼ି,

ଅନ୍ଧକାର ପାଇଁ ସୃଜିଲେ କୁହୁଡ଼ି ।

ଅଦ୍ୟାପି ଏଠାରେ ଗାଢ଼ କୁଜ୍‌ଝଟିକା,

ଶୀତ ପ୍ରାତେ ନିତି ରହେ ତ୍ରିଘଟିକା ।

ଯେ ପୁଣ୍ୟଭୂମିରେ ପର୍ବତ ବ୍ରାହ୍ମଣୀ,

ବ୍ରାହ୍ମଣୀ ହୋଇଛି ପଥର ରମଣୀ ।

ପବିତ୍ର ସଲିଳା ସରିତ ବ୍ରାହ୍ମଣୀ,

ମୁନି ସେ ସ୍ଥଳକୁ ବ୍ରହ୍ମମୟ ମଣି ।

ଦାସକନ୍ୟା ବୋଲି ନ କରି ବିଚାର,

ବ୍ରହ୍ମଜ୍ଞାନେ କରେ ପୀରତି ସଞ୍ଚାର ।

ବ୍ରହ୍ମକ୍ଷଣେ କଲେ ବ୍ରହ୍ମରେତ ନ୍ୟାସ,

ଜାତ ହେଲେ ତହିଁ ବ୍ରହ୍ମବିଦ ବ୍ୟାସ ।

ଚାହିଁ ନବଜାତ ଶିଶୁ ବ୍ୟାସ-ମୁଖ,

ଭାରତ ଭାରତୀ ଉପେକ୍ଷିଲା ଦୁଃଖ ।

ଭକ୍ତ ପାଇଁ ଭକ୍ତ ପୀରତି ପ୍ରବୀଣା,

ସଜାଡ଼ିଲା ନବ ନବ ତାରେ ବୀଣା ।

କୀର୍ତ୍ତିଦେବୀ କୀର୍ତ୍ତିମନ୍ଦିର ସାଜିଲେ,

ଯଶସ୍ୱୀଙ୍କ ପଥ ଚାହିଁ ବିରାଜିଲେ ।

ପରଂବ୍ରହ୍ମ ହୋଇ ପରମ ପ୍ରସନ୍ନ,

ହୃଦପଦ୍ମେ ତାଙ୍କ ସ୍ଥାପିଲେ ଆସନ ।

ବିଦ୍ୟାଧର କର-ମୁକ୍ତ ପୁଷ୍ପଚୟ,

ଆମୋଦିତ କଲା ସୂତିକା-ଆଳୟ ।

କେତେ ପୁଷ୍ପ ପଡ଼ି ବ୍ରାହ୍ମଣୀ ସଲିଳେ,

ବୀଚିପୃଷ୍ଠେ ବସି ଚଳିଲେ ସଲୀଳେ ।

କିନ୍ନରୀଏ ସୁର-କର୍ଣ୍ଣ-ରସାୟନ,

କଲେ ମଧୁମୟ ମଙ୍ଗଳ ଗାୟନ ।

ଜଳଦ ଆକାର ଧରି ଭକ୍ତିରସ,

ଛାୟାଦାନ କଲା ଘୋଟି ବିହାୟସ ।

ଭବିଷ୍ୟତ ଦେବ ପର୍ବତ ଆକାରେ,

ଗଦା କଲେ ଗ୍ରନ୍ଥ ଭାରତ ଆଗାରେ ।

ଭାରତୀଭୂଷଣ ଉପାଦାନରାଶି,

ଅଇଲେ କୋଇଲି ସ୍ରୋତେ ଭାସି ଭାସି ।

ପର୍ବତ ସରିତ ଆଦି ତୀର୍ଥଗଣେ,

ଅନାଇଲେ ବ୍ୟାସେ ସତୃଷ୍ଣନୟନେ ।

ଘେନିଯିବା ପାଇଁ ତାଙ୍କୁ କୋଳକରି,

ପରସ୍ପରେ ହେଲେ ଓଟରାଓଟରି ।

ପରାଶର ଏଡ଼ି ତାହାଙ୍କ ଜଞ୍ଜାଳ,

ପୁତ୍ରେ ରଖିନେଲେ ନିଜେ କିଛି କାଳ ।

କାହିଁ ଜନ୍ମି ବ୍ୟାସ କେଉଁଠି ବଢ଼ିଲ,

କେତେ କେତେ ବେଦପୁରାଣ ଗଢ଼ିଲ ?

ଜନମ କାସାର ପଙ୍କଜ ଯେସନ,

ତେଜି କରେ ଦେବ-ମସ୍ତକେ ଆସନ ।

ଏ କ୍ଷୁଦ୍ର ଶଇଳଶୃଙ୍ଗେ ହୋଇ ଜାତ,

ହିମାଦ୍ରି ମସ୍ତକେ ଶୋଭି ହେଲେ ଖ୍ୟାତ ।

ଝରା ସୀମନ୍ତିନୀ ଲଭିଥାଏ ହୀରା,

ହୀରା ଦେଇ ପୁଣି କିଣିଆଣେ ଜିରା ।

ସେ ହୀରା ଶୋଭଇ ରାଜେନ୍ଦ୍ର ମୁକୁଟେ,

ତୁମ୍ଭେ ହେଲ ତଥା ଗିରିରାଜକୂଟେ ।

ପୂର୍ବାପର ସିନ୍ଧୁ-ଲହରୀ-ପଟଳ,

ଚୁମ୍ବୁଛନ୍ତି ସଦା ଯା’ର ପାଦତଳ ।

ଘନରୂପେ ପୁଣି ଉଠି ବିହାୟସେ,

ସୁରାଗ ରଞ୍ଜନ କରନ୍ତି ଉରସେ ।

ମନ୍ଦାକିନୀ ମୁକ୍ତା-ପ୍ରଭାଜୟୀ ନୀର,

ନିତି ଅଭିଷିକ୍ତ କରେ ଯା’ର ଶିର ।

ହରି ବିଦାରିତ କରିରାଜ ମୋତି-

ପଟଳ ଯା’ ଦେହେ ବିକାଶନ୍ତି ଜ୍ୟୋତି ।

ସେହି ଗିରିରାଜ ହିମାଚଳଶ୍ରେଣୀ,

ହୋଇଥିଲେ ତୁମ୍ଭ କ୍ରିଡ଼ାର ନିଃଶ୍ରେଣୀ ।

ସସାଗରାଧରା ଚତୁର୍ଦ୍ଦଶପୁର,

ନ ରହିଲେ ତୁମ୍ଭ ନୟନକୁ ଦୂର ।

ବିଶ୍ୱ ଥିଲା ତୁମ୍ଭ ସମକ୍ଷ ଗୋଲକ,

ଅବନୀମଣ୍ଡଳ ହସ୍ତ ଆମଳକ ।

ଆଜ୍ଞାବହ ଥାଇ ଅଷ୍ଟାଦଶ ସିଦ୍ଧି,

ପାଦତଳେ ଥୋଇଥିଲେ ସର୍ବନିଧି ।

ପାଇଥିଲ ଯେଣୁ ସାଯୁଜ୍ୟ ଶର୍କର,

ମଣୁଥିଲ ଅନ୍ୟ ସବୁକୁ କର୍କର ।

ମହାଭାରତର ସଂଗ୍ରାମକୌଶଳ,

ଭ୍ରାତୃବିବାଦର ବିଷମୟ ଫଳ ।

ପଶାଖେଳେ ଯେଉଁ ଦଶା ହୁଏ ଲାଭ,

କୁମନ୍ତ୍ରୀର ଥାଏ ଯେମନ୍ତ ସ୍ୱଭାବ ।

ଧର୍ମପଥେ କେତେ ଭୀଷଣ ଆପଦ,

ହେଲେହେଁ ଧାର୍ମିକ ନ ଘୁଞ୍ଚାଏ ପଦ ।

ଅଧରମ ପଥ ପାଶେ ରତ୍ନସ୍ତୂପ;

ତା’ପଛେ କିଭଳି ଭୟଙ୍କର କୂପ ।

କିରୂପେ ଗର୍ବୀର ଗର୍ବ ହୁଏ ଖର୍ବ,

ଗୋଟି ଗୋଟି କରି ଦେଖାଇଲ ସର୍ବ ।

ଶ୍ରୀକୃଷ୍ଣଙ୍କୁ କରି ବିଷ୍ଣୁ ଅବତାର,

ଦେଖାଇଲା ତାଙ୍କ ମହିମା ଅପାର ।

ସେ ଯେ ନ କରନ୍ତି ଜାତିର ବିଚାର,

କଲ ତାହା କେତେ ପ୍ରକାରେ ପ୍ରଚାର ।

ସରଳା ନିର୍ମଳା ଭାଗବତୀ ନୀତି,

ତହିଁ ଦେଖାଇଲ ଭଗବତପ୍ରୀତି ।

ଶୂଦ୍ର ହୋଇ ସୂତ ଥିବାରୁ ବିଦ୍ୱାନ,

ଦିଆଇଲ ମୁନିସମାଜେ ସମ୍ମାନ ।

ଗରବେ ମହତେ କଲେ ପରିହାସ,

କି ମହାମହିମ ବଂଶର ବିନାଶ ।

ତାହା ଦେଖାଇଲ ହୋଇ ଅକୁଣ୍ଠିତ,

ଧନ୍ୟ ଧନ୍ୟ ମୁନିପୁଙ୍ଗବ ପଣ୍ଡିତ ।

କିନ୍ତୁ ଯେ ତୁମ୍ଭର ଜନମ ଆଗାର,

ନ ପଡ଼ିଲା ତାର ନାମେ ଏକ ଗାର ।

ସଫଳ କଲ କି ବୋଲ ଯା ସଂସାର,

ପ୍ରଦୀପର ତଳଦେଶ ଅନ୍ଧକାର ।

ପାଶେ ବାଷ୍ପରଥ କରୁଛି ଗମନ,

କରି ବ୍ରାହ୍ମଣୀର ବକ୍ଷ ବିକମ୍ପନ ।

ଲକ୍ଷ ଲକ୍ଷ ଯାତ୍ରୀ ଯାଉଛନ୍ତି ଚଳି,

ଲକ୍ଷ୍ୟ ନ କରନ୍ତି ତୁମ୍ଭ ଜନ୍ମସ୍ଥଳୀ ।

ଏ ଯେ ଶଙ୍ଖ ଗଙ୍ଗା ତ୍ରିଦଶବନ୍ଦନା

କୋଇଲି ଯମୁନା କଳିନ୍ଦନନ୍ଦନା ।

ସରସ୍ୱତୀ ମିଶି ପବିତ୍ର ତ୍ରିବେଣୀ,

ଏ ଭାବକୁ କେହି ନ ପାରନ୍ତି ଘେନି ।

ଶଙ୍ଖ ଗଙ୍ଗା ଘେନି ଶୋଭେ ଯେଣୁ ଉର

ଏହି ରାଜ୍ୟ ନାମ ପରା ଗାଙ୍ଗପୁର।

ଶ୍ରୀମୁଖୁ ନିଃସୃତ ହେଲା ନାହିଁ ତାହା,

ଏ ପବିତ୍ର ତୀର୍ଥ ଲୁଚିଗଲା ଆହା!

ହ୍ରସ୍ୱ ହେବ ବୋଲି ମହତ ଲକ୍ଷଣ,

ନିଜ ମାହାତ୍ମ୍ୟ କି ନ କଲ ବର୍ଣ୍ଣନ ?

ଜାଣିଛନ୍ତି କିନ୍ତୁ ଆଦିମ ନିବାସୀ,

ପୂର୍ବପୁରୁଷଙ୍କ ଅସ୍ଥି ଧରି ଆସି ।

ଏ ତ୍ରିବେଣୀ ଧାରେ ଦିଅନ୍ତି ମଜ୍ଜାଇ,

ବସନ୍ତି ସେମାନେ ଉଚ୍ଚସ୍ୱର୍ଗେ ଯାଇ ।

ଏହି ଯେ ସୁରମ୍ୟ ଶୁଭ ବାଲିକୁଦ,

ବାଲ୍ୟେ ଖେଳି ଯହିଁ ଲଭୁଥିଲ ମୁଦ ।

ଏହି ଯେ ନିକଟ ତଟ ତରୁଗଣ,

ପୁଳିନକୁ କରୁଛନ୍ତି ଆଲିଙ୍ଗନ ।

ନ ଥିଲେ କି ଧରି ପୁଷ୍ପ ସେ କାଳରେ,

ତୋଳୁ ନ ଥିଲ କି ଉଠି ସକାଳରେ ?

ପଡ଼ିଲେ ନବୀନ ଭାସ୍କର କିରଣ,

କରୁ ନ ଥିଲ କି ଏଥି ବିଚରଣ ?

ଏ ଯେ ସ୍ରୋତ ଲାଗି ରହିଛି ପାଷାଣ

କରୁ ନ ଥିଲ ଏଥିଁ ବସି ସ୍ନାନ ?

ଏହି କୋକିଳାଦି ବିହଙ୍ଗମମାନେ,

ତୋଷୁ ନ ଥିଲେ କି ମନ ମଧୁଗାନେ ?

ଖେଳୁ ନ ଥିଲେ କି ଡେଇଁ ଡାଳେଡାଳେ,

ଥରେ ଥରେ ରହି ପତ୍ର ଅନ୍ତରାଳେ ?

ଆସୁ ନ ଥିଲେ କି ଏଠାକୁ ଭ୍ରମରେ,

ଏ କେଳିକଦମ୍ବ ପୁଷ୍ପକୁ ଭ୍ରମରେ ?

ସେହି ଯେ ସେ କୂଳ ପାଦପପଟଳ,

ସମୁତ୍ତୁଙ୍ଗେ ରହିଅଛନ୍ତି ଅଟଳ ।

ଦିନାନ୍ତ ଦ୍ୟୁମଣି କନକ କିରଣ-

କାନ୍ତି କରୁଛନ୍ତି ଅଙ୍ଗ ଆଭରଣ ।

ତଟଭୂମି ଦିଶୁଅଛି ହେମମୟ,

ନିଶ୍ଚେଁ ହରିଥିବ ତୁମ୍ଭର ହୃଦୟ ।

ସେ ଯେ ବକଯୁଗ ବୁଲି ଅଳ୍ପ ନୀରେ,

ମତ୍ସ୍ୟ ଲୋଡ଼ୁଛନ୍ତି ପାଦ ଚାଳି ଧୀରେ ।

ସେ ଯେ ଚକ୍ରବାକ ଦମ୍ପତି ଆସିଲେ,

ସ୍ରୋତ ପାଶେ ଗାଢ଼ପ୍ରେମେ ବିଳସିଲେ ।

ଏ ଦୃଶ୍ୟ ବା ପଡ଼ି ନ ଥିବ ଲୋଚନେ,

ନିରତ ଥିବାରୁ ଶାସ୍ତ୍ର ଆଲୋଚନେ ।

ବସନ୍ତ ସୁଧାଂଶୁ ଶୀତଳ କିରଣ,

ବୀଚି ଆଲିଙ୍ଗନେ ସ୍ନିଗ୍‌ଧ ସମୀରଣ ।

ବନଫୁଲ ମନୋମୋହନ ସୁଗନ୍ଧ,

ଆସୁ ନ ଥିଲେ କି ଭେଦି ତରୁରନ୍ଧ୍ର ?

ରମ୍ୟ ବଦରିକାଶ୍ରମେ ବୁଲି ବୁଲି,

ବାଲ୍ୟ କଥା କେବେବ ନ ଥିବ ତ ଭୁଲି ।

ଏ ସକଳ ବର୍ଣ୍ଣିଥିବ ସ୍ଥାନାନ୍ତରେ,

ଅନ୍ତର୍ଗତ ଭାବ ଘୋଡ଼ାଇ ଅନ୍ତରେ ।

ମତ୍ସ୍ୟଗନ୍ଧା ରୂପେ ଭୁଲିଗଲା ମନ,

କରିବାକୁ ସେହି ଲଜ୍ଜା ପ୍ରଶମନ ।

ତୁମ୍ଭ ଆବୀର୍ଭାବ କାଳରୁ ଚଞ୍ଚଳ,

ପିତା ଯଦି ଚଳିଥିବେ ଭିନ୍ନାଞ୍ଚଳ ।

ତୁମ୍ଭେ ତହିଁ ଛାଡ଼ିଥିଲେ ଏ ପ୍ରଦେଶ,

ଅଜ୍ଞେୟ ତୁମ୍ଭର ନୁହେ ସେ ସନ୍ଦେଶ ।

ନିଶ୍ଚେ ଲେଖିଅଛ କଉଣସିଠାରେ,

ନ ଖୋଜିଲୁ ପଡ଼ି ଅଜ୍ଞତା-ଅଠାରେ ।

ଶାସ୍ତ୍ର ଲୋଡ଼ିବାକୁ ଅବସର ନାହିଁ,

ପେଟ ପାଇଁ ବୋଲୁଅଛୁଁ ତ୍ରାହି ତ୍ରାହି ।

ଅପ୍ରକାଶ ନୁହେ ଏ ତୀର୍ଥ କେବଳ,

ଏହିରୂପେ ରହିଅଛି ବହୁ ସ୍ଥଳ ।

ଚିତ୍ରୋତ୍ପଳା ପୂତନୀର ପୂତୋପଳ,

ଯହିଁ ରାଜେ ରାମ ଶ୍ରୀପଦ-କମଳ ।

ପାପ-କ୍ଷୟ-କର ପାପ-କ୍ଷୟ-ଘାଟ,

ମୁକ୍ତ-ପାପ ଯହିଁ ଉତ୍କଳ-ସମ୍ରାଟ୍ ।

ପାପ ଅପସରି ସେଠାରେ ରହିଲା,

ସାକ୍ଷ୍ୟଦେବା ପାଇଁ ରହିଛି ‘‘ରହିଲା’’ ।(୧)

ଚରଦାଶଙ୍କର ରହି ନିଦର୍ଶନ,

କରୁଛନ୍ତି ସେହି ସ୍ଥାନ ପ୍ରଦର୍ଶନ ।

ପରଶୁରାମଙ୍କ ପ୍ରିୟ ବାସସ୍ଥଳ,

ସିଦ୍ଧନିସେବିତ ମେହନ୍ଦ୍ର ଅଚଳ ।

ଉତ୍ପବୀଜ ରୂପେ ଛନ୍ତି ଏ ସକଳ,

ଲଭି ନାହିଁ କବିମାଲ୍ୟ ହସ୍ତଜଳ ।

କିବା ନୀଳାଚଳ ନିକଟବର୍ତ୍ତିତ୍ୱ,

କରୁଅଛି ତାଙ୍କୁ ତହିଁରୁ ବଞ୍ଚିତ ।

ଚନ୍ଦ୍ର ପାଶେ ଯଥା ତାରକାମଣ୍ଡଳ,

ନ ପାରନ୍ତି କରି ପ୍ରତିଭା ପ୍ରବଳ ।

କହିଛ, ‘‘ସକଳ ତୀର୍ଥ ଘେନି ହରି,

ଅଛନ୍ତି ଉତ୍କଳ ଦେଶେ ବିଜେ କରି ।’’

ତୁମ୍ଭେ ଚିରଜୀବୀ ହରିପ୍ରିୟ ଦାସ,

ନିରତେ ରହିଛ ଶ୍ରୀହରିଙ୍କ ପାଶ ।

ତୁମ୍ଭେ ଥାଉଁ ଥାଉଁ ଆମ୍ଭର ଏ ଦଶା,

ଲୋକେ ପାଉଅଛୁଁ କେତେ ଲୋକହସା ।

ଏ କି ଉତ୍କଳର କପାଳର ଦୋଷ,

ଅଦ୍ୟାପି ରହିଛି ବିଧି ଅସନ୍ତୋଷ ।

ନ ହେଲେ କି ଥାଉଁ ଥାଉଁ ସ୍ୱକ୍ଷମତା,

ଶ୍ରୀରାମଚନ୍ଦ୍ର(୨)ଙ୍କ ନୁହନ୍ତା ମମତା ?

ବାସୁଦେବ(୩) ଦେବ ଅବନୀଭୂଷଣ,

ଅକାଳେ ଲୋଡ଼ନ୍ତେ ସ୍ୱର୍ଗର ଆସନ ।

ରାଜାଳୟେ ଜନ୍ମି ଶ୍ରୀଚନ୍ଦ୍ରଶେଖର,

ଆଳୟେ ହୁଅନ୍ତେ ଦାରିଦ୍ର୍ୟ ଦୁଃଖର ।

 

୧। ମହାନଦୀକୂଳସ୍ଥ ଏକ ଗ୍ରାମ, ୨। ମୟୂରଭଞ୍ଜ ମହାରାଜା, ୩। ସ୍ୱର୍ଗୀୟ ବାମଣ୍ଡା ମହାରାଜା ।

 

ରାଧାନାଥ ହୋଇ ଚିରରୁଗ୍‌ଣକାୟ,

ନେଇଥାନ୍ତେ ଇହଧାମରୁ ବିଦାୟ ।

ଏତେ ଏତେ ରାଜା ବିଳାସିତାପ୍ରିୟ,

ବ୍ରାହ୍ମଣେ ପାଚକ ଯାଚକ ନିଷ୍କ୍ରିୟ ।

ସୌଭାଗ୍ୟ ଥିଲେ କିଏ ବିପାକ ଘଟେ,

ଭଲ ଲେଖା ନାହିଁ ଏହା ଭାଲପଟେ ।

ନା ନା ଏହା ମୋର ବୁଝିବା ଭରମ,

ଦେବୀ କହିଦେଲେ ସକଳ ମରମ ।

ସେହି ପରାଶର ସେହି ଗଉତମ,

ଜାଣନ୍ତି ଏ ସ୍ଥଳ ପବିତ୍ର ଉତ୍ତମ ।

ନିତି ଆସି ଏଥି କରୁଛନ୍ତି ସ୍ନାନ,

କରୁଛନ୍ତି ବେଦବ୍ୟାସ ବେଦଗାନ ।

ରହିଛନ୍ତି ସ୍ନେହ ବହି ସତ୍ୟବତୀ,

ବାସବମୋହିନୀ ଅହଲ୍ୟା ଯୁବତୀ ।

ଅହଲ୍ୟାଙ୍କ ପଦସ୍ପରଶ ଲାଳସେ,

ଅଶ୍ମ ହୋଇଛନ୍ତି ଇନ୍ଦ୍ରପ୍ରୀତିବଶେ ।

ମୁନିମାନେ ନିଜ ନିମନ୍ତେ ଏ ସ୍ଥଳ,

ରଖିଛନ୍ତି ଶାସ୍ତ୍ରେ ନ କରି ଚହଳ ।

ବିଜ୍ଞାନବିନୋଦ ବଜ୍ଞ ବିଜ୍ଞପ୍ରିୟ,

ବିଜ୍ଞ ଦେଖି ବାଣୀ-ସୁଧା ଢାଳିଦିଅ ।

ହେ ସଚ୍ଚିଦାନନ୍ଦ ତ୍ରିଭୁବନ ରାଜା,

ଶୁଭିଲାଣି ତୁମ୍ଭ ବାଣୀ-ବୀଣା ବାଜା ।

ତୁମ୍ଭ ଅନୁରୂପ ଅବରଜଗଣ,

ଭାରତ ଭାରତୀ ଭାବେ ବିଚକ୍ଷଣ ।

ଗଙ୍ଗବଂଶ-ପଦ୍ମରାଗମଣି ଗର୍ଭେ

ଜନମିଛ ପଦ୍ମରାଗ-ମଣି ସର୍ବେ ।

ପ୍ରଧାନପାଟରେ ବସନ୍ତନିବାସ,

ନିର୍ମାଣିଛ ତାହା ଲେଖିଲେଣି ବ୍ୟାସ ।

ପ୍ରପାଦ-ଶୀକର-ବାହୀ ସମୀରଣ

କରୁଅଛି ତହିଁ ସଦା ବିଚରଣ ।

ଅଟବୀ, ଅଚଳ, ଘନଶ୍ୟାମ କାନ୍ତି,

ନେତ୍ରେ ଦେଉଥାନ୍ତି ମଧୁମୟ ଶାନ୍ତି ।

ତୁମ୍ଭ ଆମନ୍ତ୍ରଣେ ବ୍ୟାସେ ଲଭି ତୋଷ,

ବସିବେ ସେ ପୁରେ ଫେଇ କାବ୍ୟ-କୋଷ ।

କୃପାମୟ ଦେବ ପ୍ରତିଭା-ବିନୋଦ,

କବି ବୁଧ ଦେଖି ଲଭିଥାଅ ମୋଦ ।

ଶ୍ରୀ କିଶୋରଚନ୍ଦ୍ର ତାଳଚେରପତି

କୀର୍ତ୍ତିକି ମଣୁଛ ପ୍ରଧାନ ସମ୍ପତ୍ତି ।

ଆଶା ହେଉଅଛି ତୁମ୍ଭେମାନେ ମିଳି,

ଉତ୍କଳ-ଦୁର୍ଦ୍ଦଶା-ଦ୍ୱାର ଦେବ କିଳି ।

ଉତ୍କଳ-ଜନନୀ-ଯୋଗ୍ୟତମ ସୁତ,

ଶ୍ରୀ ମଧୁସୂଦନ ସର୍ବଗୁଣପୂତ ।

ଫିଟାଇବେ ପର ସୌଭାଗ୍ୟର ପଥ,

ସେପରି କାର୍ଯ୍ୟକୁ ସେ ଏକା ସମର୍ଥ ।

 

ଚନ୍ଦ୍ର-ରଜନୀ

(୧)

 

ପୂର୍ଣ୍ଣିମା ପ୍ରଦୋଷେ ପୂର୍ଣ୍ଣଚନ୍ଦ୍ର ଆଗମନ,

ଚାହିଁ ତରତରେ ସଜ ସଜନୀ ରମଣୀ;

ଲଲାଟେ ଘେନିଲା ଶୁକ୍ର ଉଜ୍ଜ୍ୱଳ ରତନ,

କର୍ଣ୍ଣଯୁଗେ ଧ୍ରୁବାଗସ୍ତ୍ୟ ମନୋହର ମଣି ।

ରଙ୍ଗାଧରେ ମନ୍ଦହାସ କରି ପରକାଶ,

ଦେଖାଇଲା ସୁବିମଳ ପ୍ରସନ୍ନ ବଦନ;

ହୃଷ୍ଟପୁଷ୍ଟ କଳେବରେ ଉଜ୍ଜ୍ୱଳି ଆକାଶ,

ଚନ୍ଦ୍ରହିଁ କୋମଳ କରେ କଲେ ଆଲିଙ୍ଗନ ।

ମଧୁରେ ମଧୁର ମିଶି ହେଲା ମଧୁମୟ,

ଏ ଯୋଗ ମିଳଇ ହେଲେ ସୌଭାଗ୍ୟସମୟ ।

 

(୨)

 

କୁସୁମ-କୋମଳ ତନୁ ରଜନୀ ଧନୀର,

କାନ୍ତ କର ସ୍ପରଶରେ ହେଲା କଣ୍ଟକିତ;

ପ୍ରେମେ ଉଲ୍ଲସିଲା-ହୃଦ-ସାଗର ଗମ୍ଭୀର,

କକୁଭ କପୋଳ ହେଲା କାନ୍ତି ବିଭାସିତ ।

କିଶୋରୀ କିଶୋର ଲଭି ସଙ୍ଗ ପରସ୍ପର,

କଲେ ନିଜ ନିଜ ପୂର୍ଣ୍ଣ ଶୋଭାର ବିକାଶ;

ଶୋଭାରେ ମଣ୍ଡିତ ହେଲା ବିଶ୍ୱ ଚରାଚର,

ଜଳ ସ୍ଥଳ ସହିତରେ ଅବନୀ ଆକାଶ ।

ସେ ଶୋଭାର ଉପମାକୁ ବିଶ୍ୱେ ନାହିଁ ସ୍ଥାନ,

ମୁକୁତାକୁ ଗରଗଡ଼େ କେ କରେ ସମାନ।

 

(୩)

 

ସେ ଶୋଭାରେ ଉଲ୍ଲସିଲା ପାଷାଣ-ହୃଦ

ଜଳାଶୟେ ଉଲ୍ଲସିଲା କୁମୁଦ-କାନନ;

ଧରାଧରେ ଉଲ୍ଲସିଲା ଓଷଧିନିଚୟ,

ଗଗନେ ଉଲ୍ଲାସମୟ ଚକୋର ଗାୟନ ।

ଜନପଦେ ପୁରେ ପୁରେ ପ୍ରଦୀପ ଉଲ୍ଲାସ,

ଉଲ୍ଲସିତ ଦେବାଳୟ ଶଙ୍ଖଘଣ୍ଟା-ସ୍ୱନେ;

 

ହୃଦୟେ ହୃଦୟେ ମହାଉଲ୍ଲାସ ବିକାଶ,

ଉଲ୍ଲାସେ ଖେଳନ୍ତି ଠାବେ ଠାବେ ଶିଶୁଗଣେ ।

ଉଲ୍ଲାସ ନେଇଛି କରି ବିଶ୍ୱ ଅଧିକାର;

ପ୍ରବଳର ଆଧିପତ୍ୟ ସର୍ବତଃ ସ୍ୱୀକାର।

 

(୪)

 

ବାଟରେ ଗଉଡ଼ ବେଣୁ ବଜାଇ ବଜାଇ,

ଧାଇଁ ଧାଇଁ ହମ୍ବାରବ କରି ଗୋରୁମାନେ;

ବାଛୁରୀ ଗୋଶାଳେ ଲାଞ୍ଜ ହଲାଇ ହଲାଇ,

ହଚୁକି ହୁଚୁକି ହୋଇ ରତ କ୍ଷୀରପାନେ ।

ହାଟରୁ ହଟାରି ପେରି ଗୀତ ଗାଇ ଗାଇ,

ଘାଟରୁ କେଉଟ ଆସି ପ୍ରଫୁଲ୍ଲ ବଦନେ;

ନାଟ୍ୟଶାଳେ ନଟ ହସ୍ତ ଖେଳାଇ ଖେଳାଇ,

ନବରଙ୍ଗେ ନାଚି ଚାହିଁ ବଙ୍କିମ ନୟନେ ।

ଆନନ୍ଦ ପ୍ରକଟ କଲେ ବିବିଧ ମଜାରେ,

କୋଳାହଳ ପଡ଼ିଗଲା ଆନନ୍ଦବଜାରେ ।

 

(୫)

 

‘‘ନିର୍ମଳ ଚନ୍ଦ୍ରମଣ୍ଡଳ ଶରଦେ ବିରାଜି’’,

ଚନ୍ଦ୍ର ଚାହିଁ ମୁଦେ ଗାଏ କେ ରସିକବର;

‘‘ଦିଶେ ଯଥା ଦର୍ପକ ଦର୍ପଣ ଥିଲେ ମାଜି’’,

ଗାଏ ତା’ ପଛେ ପୁଣି ପ୍ରିୟ ସହଚର ।

‘‘ଚାହିଁ କୁମର କାତର’’ ବୋଲଇ ପ୍ରଥମ,

ଦ୍ୱିତୀୟ ରସିକ କରି ସୁଲଳିତ ସ୍ୱର;

ଉଚ୍ଚାରେ ଚତୁର୍ଥ ପାଦ ଗାଇ ମନୋରମ,

‘‘ଲେଖି ଆାରମ୍ଭିଲା ବସି ବିନୟ ପତର ।’’

ବୁଲନ୍ତି ଯୁବକଯୁଗ ସୁଧାଂଶୁ କିରଣେ,

ଭଞ୍ଜକବି ବିରଚିତ ପଦ କରି ମନେ ।

 

(୬)

 

କୌମୁଦୀ କୋମଳ ବପୁ କୁମାରୀଙ୍କ ଦଳ,

ନାନା ରଙ୍ଗେ ଯୋଡ଼ାଯୋଡ଼ି ଗୀତ ଗାଇଗାଇ;

ଖେଳାଇ ଅଞ୍ଜନାଞ୍ଚିତ ନୟନ ଚଞ୍ଚଳ,

କେବେ ବା ଖେଳିଲେ ଖେଳ ବସି ଉଠି ଧାଇଁ ।

କର-ଚରଣରେ ବାଜି ମଞ୍ଜୁ ଅଳଙ୍କାର

କରୁଥାନ୍ତି ସମୁତ୍ସାହ ଦାନର ବ୍ୟଞ୍ଜନା;

ଅଯତନବନ୍ଧ ଖୋଷା ଫିଟି ଅବା କା’ର,

ପାଉଥିଳା କୁମାରୀର ମଧୁର ଗଞ୍ଜନା ।

ଉଲ୍ଲାସ ନଦୀରେ ହେଲେ ପ୍ରବଳ ଲହରୀ,

ଖେଳନ୍ତି ବାଳାଏ ତହିଁ ପହଁରି ପହଁରି ।

 

(୭)

 

ରାଜପୁରେ ରାଜସୁତା ସଖୀ ସଙ୍ଗେ ଖେଳେ,

ସାମନ୍ତ ଭବନେ ତଥା ସାମନ୍ତନନ୍ଦିନୀ;

ପ୍ରଜାପୁରେ ପ୍ରଜାସୁତା ପ୍ରଜାସୁତା-ମେଳେ,

ଚନ୍ଦ୍ରମା କିରଣ ହେଲା ଖେଳ-ବିନୋଦିନୀ ।

କୁମାରୀ କୋମଳକଣ୍ଠ ମଧୁର ବଚନ,

ସୁଧାକର ସୁଧାକରେ ମିଶି ମନୋହର;

ମୂଲ୍ୟ ତାର ତ ବୁଝନ୍ତି ଅଭାବକୁ ଜନ,

ଯେ ବୁଝଇ ତାକୁ ତାହା ଅତି ପ୍ରୀତକର ।

ବୃନ୍ଦାବନେ ହେଉଥିଲା ମୁରଲୀ ନିଃସ୍ୱନ,

ଆନ କେ ବୁଝିଲା ତାହା ଛାଡ଼ି ଗୋପିଗଣ !

(୮)

 

ରାଜା ରାଜକାର୍ଯ୍ୟ ସାରି କଟି ସଳଖାଇ,

ବିଚରଣ କଲେ ତରେ ଚାହିଁ ଚନ୍ଦ୍ରକର;

ପାଠକ ଫିଟାଇ ପୋଥି ଡାକି ସହାଧ୍ୟାୟୀ,

ବୋଲେ ଦେଖ ଭାଇ ପଢ଼ାଯାଉଛି ଅକ୍ଷର ।

କ୍ଷେତ୍ରରୁ କୃଷକ ଆସି ପୁତ୍ର କୋଳକରି,

ଚନ୍ଦ୍ରକରେ ବୁଲି କରେ ବଦନ ଚୁମ୍ବନ;

ଜନନୀ ରୋରୁଦ୍ୟମାନ ପୁତ୍ର କାଖେ ଧରି,

‘ଜହ୍ନମାମୁ’ ଡାକେ କରି ପ୍ରିୟ ସମ୍ଭାଷଣ ।

ଶିଶୁହିଁ ଚନ୍ଦ୍ରମା ଚାହିଁ ଲଭଇ ଆମୋଦ,

ଦିବ୍ୟରୂପେ ନ ହୁଅଇ କାହାର ବିନୋଦ !

 

(୯)

 

ପଥିକ ଚାଲଇ ପଥଶ୍ରାନ୍ତି ତେଜି ମନୁ,

ବରଞ୍ଚ ଆନନ୍ଦେ ତାର ହୃଦୟ ପ୍ଳାବିତ;

କୌମୁଦୀ-ସ୍ରୋତରେ ଯେହ୍ନେ ଭାସୁଅଛି ତନୁ,

ମନେ ମନେ ଗାଉଥାଏ ମନୋରମ ଗୀତ ।

ଫୁଟିଯାଉଥାଏ କାହା ଅସ୍ଫୁଟ ଗାୟନ,

ଲାଜବଶେ ଘୁଞ୍ଚେ ପୁଣି ସୁକଣ୍ଠର ବିନା;

କାହାର ସମୁଚ୍ଚସ୍ୱର ଭେଦଇ ଗଗନ,

ତହିଁ ସଙ୍ଗେ ବାଜୁଥାଏ ଦିଗଙ୍ଗନା-ବୀଣା ।

କାହିଁ ଗୋରୁ ଚାଲୁଥାଏ ମୁଦେ ଟାଣି ଗାଡ଼ି,

ଚାଳକ ଗାଉଛି ଗୀତ ସ୍ଥିର କରି ବାଡ଼ି ।

 

(୧୦)

 

ଯାତ୍ରିଦଳ ଚାଲୁଥାନ୍ତି ଆନନ୍ଦରେ ଭାସି,

ଉଚ୍ଚେ କେହି ବୋଲେ, ‘‘ଜୟ ଜଗନ୍ନାଥ ଜୟ’’;

ତହିଁ ସଙ୍ଗେ ଆଉମାନେ ସେହିପରି ଭାଷି,

କରୁଥାନ୍ତି ଜଗନ୍ନାଥ ପାଦେ ମନ ଲୟ ।

ବିଲରେ କୃଷକ ଥାଇ ସେ ଶବଦ ଶୁଣି,

ବୋଲିଦିଏ ଥରେ, ‘‘ଜୟ ଜଗନ୍ନାଥ ଜୟ’’;

ଦ୍ୱିଗଣ ଉଚ୍ଚରେ ସେହି ଯାତ୍ରିଦଳ ପୁଣି,

ଆନନ୍ଦେ ବୋଲନ୍ତି, ‘‘ଜୟ ଜଗନ୍ନାଥ ଜୟ’’ ।

ଜଗନ୍ନାଥ ଜୟ ସ୍ୱର ପୁଣି ଶୁଭେ ଦିଶେ,

ତରୁଲତା ଜଗନ୍ନାଥ ରଟୁଥାନ୍ତି କି ସେ ?

(୧୧)

 

ପକ୍ଷୀଟିଏ ଶୋଇଥାଏ ଊର୍ଦ୍ଧ୍ୱେ ଟେକି ପଦ,

ସ୍ୱରଗ ପଡ଼ିଲେ ମାଡ଼ି ତନୁରକ୍ଷା ପାଇଁ;

ଦେଖ କେଡ଼େ ସାବଧାନ ଜଗିଛି ଆପଦ,

ସ୍ୱରଗ ପଡ଼ିଲେ ସୁଦ୍ଧା ଭୟ ତାର ନାହିଁ ।

‘‘କେକେରେ, କେକେରେ’ ରାବି ଟେଣ୍ଟୋଇ ଗଗନେ,

ବୁଲୁଥାଏ ପଥିକର ପରତେ ଜିଜ୍ଞାସି;

ପଥିକ ଉତ୍ତର ଦେଇ ବିହଙ୍ଗ ପ୍ରଶନେ,

ଚାଲିଯାଏ ‘‘ଶ୍ରୀରାମଙ୍କ ଲୋକ’’ ବୋଲି ଭାଷି ।

ବିହଙ୍ଗହିଁ ଚଳିଯାଏ ତହୁଁ ଦିଗନ୍ତର,

ରାମ ନାମ ଦୃଢ଼ ହୁଏ ହୃଦେୟ ପାନ୍ଥର ।

 

(୧୨)

 

କୃଷ୍ଣସାରଗଣ ବଧୂ ଶାବକ ସହିତ,

ଶସ୍ୟକ୍ଷେତ୍ର ଲକ୍ଷ୍ୟକରି କରନ୍ତି ଗମନ;

ଗତିପଥେ କରି କବି-ବଚନ ଫଳିତ,

ଚୌଦିଗେ ଫେରାନ୍ତି ଚାରୁ ଚକିତ ଲୋଚନ ।

ଥରେ ଥରେ ଆଚମ୍ବିତେ ହୋଇ ଚମକିତ,

ଡିଅଁନ୍ତି ବିଚିତ୍ର କରି ଗଗନ ମଣ୍ଡନ;

ଥିବାରୁ କି ମୃଗଧର ପୂର୍ବପରିଚିତ,

ଲୋଡ଼ନ୍ତି ସହସା ଭୟେ ତଦୀୟ ଶରଣ ।

ସବୁଠାରେ ଦେଖାଯାଏ କ୍ଷୁଦ୍ରର ଏ ଦଶା,

ପାଉ ବା ନ ପାଉ ଫଳ ମହତେ ଭରସା ।

 

(୧୩)

 

ଅଦ୍ୱିଜ ବାଦୁଡ଼ିଗଣ ଶମ୍ବୁକ(୧)ର ପରି,

ତରୁଡାଳେ ଝୁଲୁଥିଲେ ହୋଇ ନିମ୍ନମୁଖ;

ରଜନୀ ଆଗମ ଦେଖି ଦ୍ୱିଜଭାବ ଧରି,

ଚୌଦିଗେ ଭ୍ରମଣ କଲେ ହୃଦେ ଭରି ସୁଖ ।

ପେଟୁକ ବ୍ରାହ୍ମର ପରି କରି ଉଦ୍‌ଗୀରଣ,

କଲେ ନବ ନବ ଫଳ ପଲ୍ଲବ ଆହାର;

ଗ୍ରାମେ ଗ୍ରାମେ ଘରେ ଘରେ ଲଭିଲେ ଭୋଜନ,

କଞ୍ଚା ହେଉ ପକା ହେଉ ଯା’ ଥିଲା ଯାହାର ।

ଅଦ୍ୱିଜର ହୋଇପାରେ ଦ୍ୱିଜପରାକ୍ରମ,

ଜଗତରେ ରୁଧ୍ୟ ନୁହେ ପ୍ରକୃତିର ଧର୍ମ୍ମ ।

(୧୪)

 

ପୃଥୁଳ ବିଗ୍ରହ ବିଧୁ ମୃଦୁ ମନୋହର,

ବିଧିରେ ଉଠିଲା ତାଙ୍କ ଉର୍ଦ୍ଧ୍ୱକୁ ଆସନ;

କର ଦେଇ ଦେଇ ହେଲେ କୃଶୁ କୃଶତର,

କିନ୍ତୁ ବେଳୁଁ ବେଳ ହେଲା କାନ୍ତି ବରଧନ ।

ଉଚ୍ଚକୁ ଉଠିଲେ ସାଧୁ ହୁଅଇ ଭାସ୍ୱର,

ସ୍ୱଭାବତଃ ସୂକ୍ଷ୍ମତର ହୁଏ ତାର ମନ;

ଲୋକହିତ ପାଇଁ ଦାନେ ନ ହୁଏ କାତର

ସେହି ଗୁଣେ ଗରୀୟାନ ଚନ୍ଦ୍ର ମହାଜନ ।

ଚନ୍ଦ୍ରର ସହିତ ଏକା ଚନ୍ଦ୍ରର ତୁଳନ,

ଗଗନର ତୁଲ୍ୟ ଯଥା ଅଟଇ ଗଗନ ।

 

(୧୫)

 

ଏହି ଚନ୍ଦ୍ର ଥାଇ ଦିନେ ପ୍ରଭାକର ଘରେ,

ନିଜର ପ୍ରଭାବ ସବୁ କରିଥିଲେ ନାଶ;

ମୃତ ଜ୍ଞାନ କରି ତାଙ୍କୁ କେତେକ ବା ନରେ,

ଦୁଃଖ ପ୍ରଦର୍ଶନ କଲେ କରି ଉପବାସ ।

ହେଲେ ଦିନୁ ଦିନ ତହୁଁ ଯେତିକି ଅନ୍ତର,

ସେତିକି ପ୍ରଭାବ ହୋଇ ଆସିଲା ବିକାଶ;

ପୂର୍ଣ୍ଣ ଦୂରେ ଥାଇ ଆଜି ପୂର୍ଣ୍ଣ-କଳାକର,

ପ୍ରଭାବଳେ କରୁଛନ୍ତି ତିମିର ବିନାଶ ।

ଯେଡ଼େ ଲୋକ ହେଉ କଲେ ପରଗୃହେ ବାସ,

ନିଜ ଗୁଣ ଯଶ ସବୁ ହୋଇଥାଏ ହ୍ରାସ ।

 

(୧୬)

 

ଏହି ଚନ୍ଦ୍ର ଥିଲେ ଦିନେ କ୍ଷୀଣ ତନୁ ଧରି,

ଉଜ୍ଜ୍ୱଳି ରଜନୀମୁଖ କ୍ଷଣେକ ମାତର,

ଚାଲିଗଲେ; ସେ ବିରହ-ଦୁଃଖେ ବିଭାବରୀ,

କାଟୁଥିଲେ ବିଷାଦରେ ମଜ୍ଜି ଅବସର ।

୧। ରାମରାଜ୍ୟରେ ଶମ୍ବୁକନାମା ଶୂଦ୍ର ତପସ୍ୟାକରୁଥିବା କଥା ରାମାୟଣରେ ଦ୍ରଷ୍ଟବ୍ୟ ।

୨। ଅମାବାସ୍ୟା ଦିନ ନଷ୍ଟଚନ୍ଦ୍ରୋପବାସ କରନ୍ତି, ଅମାବାସ୍ୟା ଦିନ ଚନ୍ଦ୍ର ଓ ସୂର୍ଯ୍ୟ ଏକ ରାଶିରେ ଥାଆନ୍ତି ।

କୁମୁଦିନୀ ସହିତରେ ତାରାଗଣ ମିଶି,

କରିନେଲେ ରଜନୀର ଦୁଃଖାପନୋଦନ;

ସପତ୍ନୀ ବିଚାରି କିଛି ମାନସେ ନ ହିଂସି,

ଦେଖାଇଲେ ନିଜ ନିଜ ସହୃଦୟପଣ ।

ପରିବାର ମଧ୍ୟ ଜଣେ ପଡ଼ିଲେ ଆପଦେ,

ସମ୍ଭାଳି ନିଅନ୍ତି ଆଉମାନେ ପଦେ ପଦେ ।

 

(୧୭)

 

ପତି ଆଗେ ତାରାଗଣ ନ ଦେଖାଇ ମୁଖ,

ଭାରତ ଲଳନା ପ୍ରାୟ ଲୁଚିଥାନ୍ତି ଘରେ;

ବ୍ରିଟିଶ ରମଣୀ ଭାବେ ମଣି ମହାସୁଖ,

ରଜନୀ ଭ୍ରମଇ ସ୍ୱାମୀ କର ଛନ୍ଦି କରେ ।

ତାରାଗଣ ସବୁଦିନେ ଥା’ନ୍ତି ଘରେ ଘରେ,

ସ୍ୱାମୀ ସଙ୍ଗେ ବୁଲିବାକୁ ନାହିଁ ଅଧିକାର;

‘‘ଅଗମ୍ୟ’’ ନୁହଇ ଲେଖା ନିଶାର ଶାସ୍ତ୍ରରେ,

ବିଦେଶ ବା ନଦ, ନଗ, ନଗର, ବଜାର ।

ମଣୁଥାନ୍ତି ଆପଣାକୁ ଉଚ୍ଚ ତାରାଗଣ,

ରଜନୀ-ରାଜ୍ୟରେ ସିନା ଉଜ୍ଜ୍ୱଳ ବଦନ ।

 

(୧୮)

 

ରଜ ନୀର ଯୋଗେ ଚନ୍ଦ୍ର ଏତେ ପ୍ରୀତିକର,

ରଜନୀ ହସ୍ତରେ ତାଙ୍କ ବିଭବସକଳ;

ରଜନୀ ଦୁଆରେ ଆସି ହୋଇ ନୃତ୍ୟପର,

ଖଟିଥାନ୍ତି ଗଗନର ଜ୍ୟୋତିଷ୍କମଣ୍ଡଳ ।

ରଜନୀ ଯୋଗିନୀ ଅତି ଶକତିଶାଳିନୀ,

ଦୃଷ୍ଟିଶକ୍ତିପ୍ରଦାୟିନୀ ଦିବସ ଅନ୍ଧାର;

ସ୍ନେହମୟୀ ଅଦ୍ୟୁତିର ଦ୍ୟୁତିବିଧାୟିନୀ,

ତା’ ପ୍ରସାଦେ ଖଦ୍ୟୋତହିଁ ହୁଏ ଜ୍ୟୋତିଷ୍କର ।

ଅଭୟଦାୟିନୀ ନିଶା ସଭୟ ଜୀବର,

ଅଜୟର ଜୟ ପାଇଁ ମନ୍ତ୍ରଣାର ଘର ।

 

(୧୯)

 

ସପ୍ତଋଷି ରଜନୀର ମଧୁର ମୂରତି,

ଦଶରଥ ପାଇଁ ଚାହିଁ ବସିଥାନ୍ତି ପଥ;

ସାଦରେ କରନ୍ତି ଆଦ୍ୟ ମଙ୍ଗଳ ଆରତି,

ଉଦୀଚୀ ହସ୍ତରେ ସାଜି ପ୍ରଦୀପ ସପତ ।

ଲାଜରେ ଲୁଚାଇ ମୁଖ ଚାହିଁ ଅରୁନ୍ଧତୀ,

ମନ୍ଦ ମନ୍ଦ ହସି କରୁଥାନ୍ତି ଉପହାସ;

ରଜନୀକି ବୋଲୁଥାନ୍ତି ଧନ୍ୟ ରେ ଯୁବତୀ,

ସ୍ୱର୍ଗୀୟ ମୁନୀନ୍ଦ୍ରଗଣ ହେଲେ ତୋର ଦାସ ।

ତୁ କାଳରୂପିଣୀ କାଳୀ ମୋହିଲୁ ଜଗତ,

ମାନବ ଦାନବ ଦେବ ସର୍ବେ ତୋ’ ଭକତ ।

 

(୨୦)

 

ସୁକୁମାର ବୁଧ ଦ୍ୱିଜରାଜଙ୍କ କୁମର,

ନାଚି ଖେଳି ମଣ୍ଡେ ଆସି ରଜନୀ ପ୍ରାଙ୍ଗଣ;

କୁମରମଣିର ରୀତି ଚାହିଁ ତରତର,

କୋଳୁ କୋଳେ ଘେନି ନେଇଯାନ୍ତି ତାରାଗଣ ।

ଋଷି ବୁଧ ପୁଣି ଆସି ରଜନୀର କୋଳେ,

ରଜନୀ ଆଉଁସି ଶିଶୁ ସୁନ୍ଦର ବଦନ ।

ହୋଇ ସ୍ନେହ-ଜରଜର ଭିଡ଼ି ପ୍ରେମଭୋଳେ,

ହାସ-ବିଶୋଭିତ ଗଣ୍ଡେ ଦିଅଇ ଚୁମ୍ବନ ।

ମାତାର ନ ମାନେ ଶିଶୁ କଠିନ ବାରଣ,

ଯା’ର ସ୍ନେହ ତାର କୋଳେ କରେ ବିଚରଣ ।

 

(୨୧)

 

କବି ଅବିରତ ଏହି ରଜନୀ ପୟର,

ସେବି ଲଭି ଦିବିଷଦବାଞ୍ଛିତ ପ୍ରସାଦ;

ଅମିୟଭାବିତ ଛବି ଦେଖାଏ ସ୍ୱର୍ଗର,

ନ ଗଣଇ କୋଳାହଳ ସଂସାର - ପ୍ରମାଦ ।

୧। ବୁଧଗ୍ରହ ନକ୍ଷତ୍ରମାନଙ୍କରେ ଅନ୍ୟାନ୍ୟ ଗ୍ରହମାନଙ୍କ ଅପେକ୍ଷା ଅତି ଅଳ୍ପଦିନ ରହେ ଏବଂ କିଛିଦିନ ଅଦୃଶ୍ୟ ହୋଇଯାଏ- କିଛି ଦିନ ପୂର୍ବରେ ଏବଂ କିଛି ଦିନ ପଶ୍ଚିମରେ ଉଦିତ ହୁଏ ।

୨। ଭାବିତ – ସିକ୍ତ।

ସୁଧାକରପ୍ରିୟା ସୁଧାରଭଣ୍ଡାର କବାଟ,

ଦେଇଥାଏ ଫେଡ଼ି ପ୍ରିୟ ଭକତର ପାଇଁ ।

ଅଭାବୁକ ନୟନକୁ ନ ଦିଶେ ସେ ବାଟ,

ଭ୍ରମଇ ସେ ସୁପ୍ତିଦେଶେ ସ୍ୱପନକୁ ପାଇ ।

ଭାବି କବି ଭାବ-ରାଜ୍ୟେ ରଖେ ଅଧିକାର,

ପ୍ରତିଭା କଳ୍ପନା-ରଖେ ସାରଥି ଯାହାର ।

(୨୨)

 

ଯୋଗୀ ଭୋଗୀ ସବୁରି ସେ ପ୍ରମୋଦଦାୟିନୀ,

ଯୋଗୀକି ଦେଖାଏ ବିଶ୍ୱ ଘଟନାନିଚୟ;

ଭୋଗୀକି ଭେଟାଏ ଚାରୁ ମାନସମୋହିନୀ-

ଭାବିନୀ ବଦନ ମୃଦୁକାନ୍ତି ମଧୁମୟ ।

ଯୋଗୀ ପାଇଁ ଯୋଗତତ୍ତ୍ୱ ଶାଣଶୁଦ୍ଧମଣି,

ପୁଞ୍ଜ ପୁଞ୍ଜ ଘେନି ଶୋଭେ ରଜନୀନିଳୟ;

ଭୋଗୀ ପାଇଁ ସୁକୋମଳ ସୁଷୁପ୍ତି ଜନନୀ-

ଶଯ୍ୟା, ତହିଁ ବିଷୟରେ ଚିନ୍ତା ଲଭେ ଲୟ ।

ଦୀପାଲୋକ ଚନ୍ଦ୍ରାଲୋକ ବିଦ୍ୟୁତ୍ ଆଲୋକେ,

ରଜନୀ-ରାଜ୍ୟରେ ଭୋଗି ମୁଗ୍‌ଧ ଭବଲୋକେ ।

 

(୨୩)

 

କିଏ ତୁ ବସିଲୁ ଆସି ହୋଇ ଏକାକିନୀ ?

କିପାଇଁ ବିକଳେ ବସି କରୁଛୁ ରୋଦନ;

କାନ୍ତ କିପାଁ ସଙ୍ଗେ ତୋର ନାହିଁ ଅଭାଗିନୀ ?

କରୁଣ ଭାଷଣେ ତୋର କମ୍ପୁଅଛି ବନ ।

ତୁ ପରା ସେ ଚକ୍ରବାକୀ ପତିସୁହାଗିନୀ,

ପ୍ରେମେ କରୁଥିଲୁ କାନ୍ତ ବଦନ ଚୁମ୍ବନ;

ତୋ’ କେଳିରେ ଚଳୁଥିଲା ନବ କମଳିନୀ,

କମ୍ପୁଥିଲା ତା’ ଜନନୀ ସରସା-ଜୀବନ ।

ଅଲଙ୍ଘ୍ୟ ବିଧିର ବିଧି କରି ନୁହେ ଆନ,

ସୁଖ ପଛେ ପଛେ ଦୁଃଖ ବିଧିର ବିଧାନ ।

 

(୨୪)

 

ବିଧିର ଜନନୀ ସୂର୍ଯ୍ୟବଲ୍ଲଭା ନଳିନୀ,

ରହିଛି ବିଷାଦେ କରି ମଳିନ ବଦନ;

ଛାଡ଼ିଯାଇଛନ୍ତି ଏବେ ହରିପ୍ରଣୟିନୀ-

ଲକ୍ଷ୍ମୀ, ଶୂନ୍ୟ କରି ତାଙ୍କ ଅଙ୍କ-ସିଂହାସନ ।

ବିଧାନ ରଚିଲା ବିଧି ମାତାକୁ ନ ହେଜି,

ଲେଖିଦେଲା ସୁଖ ପଛେ ଦୁଃଖ ଏକ ଧାଡ଼ି;

ପାରୁଛି କି ଦୁଃଖ ଏବେ ନଳିନୀକି ତେଜି,

ସୁଖ ପଛେ ପଛେ ଆସି ବସିଅଛି ମାଡ଼ି ।

ଲୋକେ ଯାହା ଭଲ ମନ୍ଦ ଆଚରନ୍ତି, ପରେ

ଅବଶ୍ୟ ଫଳଇ ତାହା ନିଜର ଉପରେ ।

(୨୫)

 

ବିଷ୍ଣୁଶର୍ମାଙ୍କର ଶଶା କହିଥିଲା ଯାହା,

ସେ କଥାକୁ ତିଳେମାତ୍ର ନ ପକାଇ ମନେ;

କ୍ରୀଡ଼ନ୍ତି ବାରଣଗଣ ଉର୍ଦ୍ଧ୍ୱେ ଟେକି ବାହା,

କମ୍ପିତ ଶଶାଙ୍କ ଛାୟା ସରସୀର ବନେ ।

ଦ୍ୱିତୀୟା ଶଶାଙ୍କ ସମ ମୂଳ କମଳର,

ଖାଆନ୍ତି କଚାଡ଼ି ଜଳେ କରି ଉନ୍ମୁ ଳନ;

ନଳିନୀର ଦଶା ଏବେ ମନ୍ଦୁ ମନ୍ଦତର,

ରକ୍ଷାର ଉପାୟ ଆଉ ନାହିଁ ତ୍ରିଭୁବନ ।

ଗଜ ମୂର୍ଖେ ଦେଲା ବିଧି ଏଡ଼େ ଅଧିକାର,

ବିଧିର ଏ ବିଧାନକୁ ସହସ୍ର ଧିକ୍‌କାର ।

 

(୨୬)

 

ମଧ୍ୟ-ନଭେ ହେଲେ ଶୋଭା ସାମ୍ରାଜ୍ୟ ସମ୍ରାଟ୍,

ନୟନରଞ୍ଜନ ବିଧୁ ଜ୍ୟୋତିଷ୍କଶେଖର;

ରଖିଥିଲେ ବାଛି ବାଛି ଅତି ଅଳ୍ପ ଥାଟ,

ଉଜ୍ଜ୍ୱଳ ଉଜ୍ଜ୍ୱଳ ରକ୍ଷଯୋଗ୍ୟ ସହଚର ।

୧। ଶଶା ଓ ଗଜର କଥା ହିତୋପଦେଶରୁ ଅନୁସନ୍ଧେୟ।

ଥିଲା ଯେଉଁ ରକ୍ଷଙ୍କର ପ୍ରତିଭା ପ୍ରବଳ,

ପାଇଥିଲେ ସମାଦରେ ସମୁଚ୍ଚ ଆସନ;

ପ୍ରତିଯୋଗେ ନ ପୂରିଲା ଯାହା ଯାହା ବଳ,

ଘୁଞ୍ଚି ରହିଗଲେ ହୋଇ ମଳିନ ବଦନ ।

ମହତ ମହତ ସଙ୍ଗେ ହୁଏ ସୁଶୋଭିତ,

ଅମହତ ହୁଏ ତହିଁ ସଦା ବିକ୍ଷୋଭିତ ।

 

(୨୭)

 

କୁନ୍ଦର ଭିତରେ ରନ୍ଧ୍ର-ଭେଦି-ଚନ୍ଦ୍ରକର,

ଦିଶେ କୃଷ୍ଣ ମଖମଲେ ବଜ୍ର(୧) ଖଣ୍ଡ ପରି ।

ବିଧୁ କି ତା ମାରିଛନ୍ତି ଦୀପ୍ତିମୟ ଶର,

ସୂତିକାସଦନଶାୟୀ ତମେ(୨) ଲକ୍ଷ୍ୟ କରି ।

ବନଗର୍ଭେ ଚାହିଁ ଖଣ୍ଡ କୌମୁଦୀନିକର,

ମନେହୁଏ ପଳାୟିତ ତିମିରିର ପିଠି ।

ପଡ଼ି ବିଦ୍ଧ ହୋଇଅଛି ନାନାବିଧ ଶର,

ଧାବମାନ ଚନ୍ଦ୍ରମାର ଲଘୁହସ୍ତ ଫିଟି ।

ରୁଧିର ଝରଇ କିବା ହିମବିନ୍ଦୁ ଛଳେ,

ପଡ଼ିଛି ତିମିର ମୁହଁ ମାଡ଼ି ଭୂମିତଳେ ।

 

(୨୮)

 

ଦେଖିଲେ ପ୍ରକୃତି-ରାଜ୍ୟେ ଶାନ୍ତିର ବିରାଜ,

ଶାନ୍ତେ ବହେ ସୁଶୀତଳ ଧୀର ସମୀରଣ;

ଶାନ୍ତିକୋଳେ ସୁଖସୁପ୍ତ ମାନବସମାଜ,

ଶାନ୍ତି ଲଭିଅଛି ଘରେ ଘରେ ହୁତାଶନ ।

ଶାନ୍ତି ପାଇ କାନନର କୁସୁମସକଳ,

ପ୍ରଫୁଲ୍ଲବଦନେ କଲେ ଗନ୍ଧ ବିତରଣ;

ଘନ ହେଲାପର୍ବତର ସୁଶୀତଳ ଜଳ,

ଧରଣୀମଣ୍ଡଳ ହେଲା ଶାନ୍ତି ନିକେତନ ।

ଅଚ୍ଛିନ୍ନ ପ୍ରଲମ୍ବ ସ୍ୱରେ ଝିଲ୍ଲିକାନିସ୍ୱନ,

ଚତୁର୍ଦ୍ଦିଗେ କଲା ସେହି ଶାନ୍ତି ବିଘୋଷଣ ।

 

(୨୯)

 

ଗାଇଲେ ଶାନ୍ତିର ଗୀତ ମଧୁପମଣ୍ଡଳ,

ବୁଲି ବୁଲି ଜଳ, ସ୍ଥଳ, ବନ, ଉପବନେ;

ବଜାଇଲେ ଶାନ୍ତି-ବାଜା ସରିତ ସକଳ,

ପାଦପ ପଲ୍ଲବଚୟ ମରମର ସ୍ୱନେ ।

ସୁଶାନ୍ତେ ନାଚିଲେ ଜଳେ ତରଙ୍ଗପଟଳ,

ତହିଁ ସଙ୍ଗେ ଯୋଗଦେଲେ ମୁଦେ ମୀନଗଣ;

ନାଚିଲେ ମେଦିନୀବକ୍ଷେ ଶ୍ୟାମ ଦୁର୍ବାଦଳ,

ବଲ୍ଲୀରାଜି ନାଚି ନାଚି ମଣ୍ଡିଲେ ଗଗନ।

ଶାନ୍ତିରସେ ମଜ୍ଜି ବିଧୁ ଗ୍ରହ ତାରା ସର୍ବେ,

ନୃତ୍ୟ କଲେ ପ୍ରତିବିମ୍ବରୂପେ ଜଳଗର୍ଭେ ।

 

(୩୦)

 

ଶୁଣିଲେ ପଶ୍ଚିମେ ବିଧୁ ସାଗର-ଗର୍ଜ୍ଜନ

ଦେଖିଲେ ଜୁଆର ମାଡ଼ି ଆସୁଅଛି କୂଳ;

କରିବାକୁ ତହୁଁ ଜଳରାଜ୍ୟ ସୁଶାସନ,

ପଶ୍ଚିମକୁ ଗଲେ ସଙ୍ଗେ ଘେନି ରକ୍ଷକୁଳ ।

ବରୁଣପୁର ପ୍ରାଚୀର ପ୍ରତୀଚୀ ଅଚଳ

ଲଙ୍ଘି, ରତ୍ନମୟପୁରେ ହୋଇ ଆମନ୍ତ୍ରିତ;

ଜନକର ସ୍ନେହମୟ କୋଳ ସୁକୋମଳ,

ଶଯ୍ୟାରୂପେ ପାଇ ସୁଖେ ହେଲେ ନିମଜ୍ଜିତ ।

 

କିବା ଜଳ କିବା ସ୍ଥଳ କି ନଗ ନଗର,

ଯହିଁ ଯାଏ ତହିଁ ପାଏ ଗୁଣୀ ସମାଦର ।

୧। ବଜ୍ର-ହୀରା, ୨। ତମ-ରାହୁ (ସିଂହିକାପୁତ୍ର); ସୁତରାଂ ଗିରିକନ୍ଦର ତାହାର ଜନ୍ମସ୍ଥାନ ହେବା ସ୍ୱାଭାବିକ, ୩। ପୂର୍ବ-ସାଗର (ପ୍ରଶାନ୍ତ-ମହାସାଗର) ଅପେକ୍ଷା ପଶ୍ଚିମ-ସାଗର (ଆଟ୍‌ଲାଣ୍ଟିକ ମହାସାଗର)ର ଉତ୍ତାଳ ତରଙ୍ଗ ଅତି ଭୟଙ୍କର ।

 

ବସନ୍ତ-ବାସର

 

ପାହିଲା ରଜନୀ ଧରା ଦିଶିଲା ଉଜ୍ଜ୍ୱଳ,

ଉଜ୍ଜ୍ୱଳ ଦିଶିଲା ଉର୍ଦ୍ଧ୍ୱେ ଆକାଶମଣ୍ଡଳ।

ଅନ୍ଧାରେ ଯା’ ଦିଶୁଥିଲା ଆଲୋକେ ତା’ ନାହିଁ,

ଭିନ୍ନ ଦୃଶ୍ୟ ଠିଆହେଲା ଆଲୋକର ପାଇଁ ।

ଯେତେବେଳେ ଥିଲୁଁ ଆମ୍ଭେ ତିମିରମଗନ,

ସାହା ଥିଲେ ନିକଟରେ ବନ୍ଧୁ ଗ୍ରହଗଣ

ସାନ ହୋଇ ବଡ଼ ରୂପେ କଲେ ଉପକାର,

ଅବଶ୍ୟ କରିବୁଁ ଆମ୍ଭେ ସେକଥା ସ୍ୱୀକାର ।

ବଡ଼ ବଡ଼ ବନ୍ଧୁ ଗ୍ରହ ବଡ଼ ଦୂରେ ଥାଇ,

ଯଥାସାଧ୍ୟ ହିତ କରୁଥିଲେ ଆମ୍ଭ ପାଇଁ ।

ତହୁଁ ଦୂରେ ଦୂରେ ଥାଇ ତାରା-ବନ୍ଧୁକୁଳ,

ବନ୍ଧୁତା ଦେଖାଇ ହୋଇଥିଲେ ଅନୁକୂଳ ।

ଯେତେ ଦୂରେ ଥିଲେ ବନ୍ଧୁ ଆପଦ ସମୟେ,

ଆନୁକୂଲ୍ୟ ପ୍ରଦର୍ଶାଇଥାନ୍ତି ସୁହୃଦୟ ।

ନ ଦିଶିଲେ ଆଉ ସେହି ଜ୍ୟୋତିଷ୍କସକଳ,

ଯହିଁ ଥିଲେ ତହିଁ ହେଲା ତାଙ୍କ ଅସ୍ତାଚଳ ।

 

 

କେ ଥିଲେ ପୂରୁବେ କେବା ମଧ୍ୟ-ଆକାଶରେ,

କେତେ ଢଳି ପଡ଼ିଥିଲେ ପଶ୍ଚିମ ଦିଗରେ ।

ଆଶ୍ରୀଥିଲେ କେ ଉତ୍ତର କେ ଅବା ଦକ୍ଷିଣ,

ଯେ ଯହିଁରେ ଥିଲେ ତହିଁ ହୋଇଗଲେ ଲୀନ ।

ପୂର୍ବ ଦିଗୁଁ ଉଠି ଏକ ଆଲୋକ ଲହରୀ,

କ୍ଷଣକରେ ଦ୍ୟୁଲୋକକୁ ଦେଲା ଗ୍ରାସକରି ।

ସେ ପ୍ରଳୟ-ଲହରୀର ଆକ୍ରମଣ ସହି,

ଦୁଇ ଏକ ଜ୍ୟୋତିଷ୍କର ଯାଇଥିଲେ ରହି ।

ଆନାସା ପ୍ଳାବନ-ବେଗେ ହୋଇ ସେ ଅସ୍ଥିର,

ଅନାୟତ୍ତବଶେ ଶେଷେ ମଜ୍ଜାଇଲେ ଶିର ।

ଜ୍ୟୋତି ଆସି ବିନାଶିଲା ଜ୍ୟୋତିଷ୍କରଗଣ,

ବେଣ୍ଟରୂପୀ ବନ-କାଷ୍ଠ କାଟେ ଯଥା ବନ ।

ନବ ବନ୍ଧୁ ଜନମିଲେ ବାସବ-ଭବନେ,

ଅନ୍ତୁଡ଼ି-ଅନଳ-ଶିଖା ଉଠିଲା ଗଗନେ ।

ଦେଖୁଁ ଦେଖୁଁ ଆସିଗଲେ ସେ ଦିନ-ବାନ୍ଧବ,

ମଧୁର କିରଣେ କଲେ ଶୀତର ଲାଘବ ।

ପ୍ରକାଣ୍ଡ ମୂରତି ଧରି ଦେଇ ଦରଶନ,

ଆହ୍ଳାଦରେ ହରିନେଲେ ହୃଦ ସଙ୍ଗେ ମନ ।

୧। ବୁଧ, ଶୁକ୍ର, ମଙ୍ଗଳ ଗ୍ରହତ୍ରୟ ପୃଥିବୀର ନିକଟରେ ଅଛନ୍ତି। ସେମାନେ ଅନ୍ୟାନ୍ୟ ଗ୍ରହ ଅପେକ୍ଷା ଛୋଟ ହେଲେହେଁ ନିକଟବର୍ତ୍ତିତା ହେତୁ ଅଧିକ ଉଜ୍ଜ୍ୱଳ ଦିଶନ୍ତି।

୨। ବୃହସ୍ପତି, ଶନି, ୟୁରେନ୍‌ସ ଓ ନେପଚୁନ୍‌ ଗ୍ରହମାନେ ବୃହଦାକାର ଓ କ୍ରମଶଃ ଦୂରବର୍ତ୍ତୀ।

 

ଆଉଁସି କଦୁଷ୍ଠ କରେ ଗିରିତରୁ ଶିରୁ,

ପୋଛିଦେଲେ ପ୍ରକୃତିର ନୟନର ନୀର ।

ହସିଲା ଧରଣୀ ରଙ୍ଗ ପଲାଶ-ଦଶନେ,

ଶାଳ୍ମଳୀ ଲାଗିଲା ରଙ୍ଗ କୁସୁମ ବର୍ଷଣେ ।

ଲାଗିଲା କୌତୁକ ବନେ ଅଟବୀ-ଦେବୀର,

ଉଡ଼ିଲା କମଳାଗୁଣ୍ଡି ସୁରଙ୍ଗ ଅବିର ।

ଧାତକୀ କୁସୁମ ରଙ୍ଗ ନବ କିଶଳୟ,

କାନନ-ଅଙ୍ଗକୁ କରିଦେଲେ ରଙ୍ଗମୟ ।

ଜଳରେ ରକତ-ପଦ୍ମ ସ୍ଥଳେ ସ୍ଥଳପଦ୍ମ,

ଅବନୀ ରଞ୍ଜିତ କଲେ ହୋଇ ପଦ୍ମ ପଦ୍ମ ।

ଜଳରେ ଜଳଜଦଳ ସ୍ଥଳେ ଦୁର୍ବାଦଳ,

ଶ୍ୟାମଳ ବର୍ଣ୍ଣରେ କଲେ ଲୋଚନ ଶୀତଳ ।

 

 

ଉର୍ଦ୍ଧ୍ୱରେ ଗଗନ ତାର ପ୍ରତିବିମ୍ବ ତଳେ,

ନୀଳିମାରେ ଭୁବନକୁ ଆଚ୍ଛାଦିତ କଲେ ।

ପ୍ରପାତ-ଶୀକର ପୁଣି ସାଗର-ତରଙ୍ଗେ,

ଇନ୍ଦ୍ରଦନୁ ବିଳସିଲା ବହୁବିଧ ରଙ୍ଗେ ।

ନୀଳବାସ ବେଶେ ଉଭା ଦୂରସ୍ଥ ଅଚଳ,

ନିକଟ ପର୍ବତ ବାସ ଘେନିଲା ପାଟଳ ।

ସୌଧେ ସୌଧେ, ବିରାଜିଲା ଧବଳ ବରଣ,

ମଲ୍ଲିକା ନିଆଳୀ କଲେ ତା’ ଅଂଶ ଗ୍ରହଣ ।

ନୀଡ଼ ତେଜି ବିହଙ୍ଗମେ ତରୁଡାଳେ ବସି,

ଜୀବନ-ସଂଗ୍ରାମ ପକ୍ଷ ଧନୁ ଗୁଣ କସି ।

ଚଞ୍ଚୁକରେ ଲୋମ ସାଞ୍ଜୁ କରି ସୁସଜ୍ଜିତ,

ଦଳ ବାନ୍ଧି ପଦ୍ମବ୍ୟୂହ କଲେ ବିରଚିତ ।

ଆଳସ୍ୟ-ଅସୁର ରଣେ ମୁଗ୍‌ଧ ଥିଲେ ଜନେ,

ସଂଜ୍ଞା ଆସି ଢାଳିଦେଲା ଅମୃତ ବଦନେ ।

କଷ୍ଟେ କଷ୍ଟେ ହେଉଥିଲା ନେତ୍ର ଉନ୍ମୀଳନ,

ନବ ବନ୍ଧୁ ନିଜ କରେ ଦେଲେ ସୁଧାଞ୍ଜନ ।

 

 

ନବ ପ୍ରାଣ ନବ ବଳ ଲଭି ନବ ମନେ,

ଜନଗଣ ବିଚରିଲେ ସଂସାର-ଗହନେ ।

ପ୍ରାଚୀର ମସ୍ତକେ ବସି ଚଟକନିକର,

ପ୍ରାଚୀର ମସ୍ତକେ ଚାହିଁ ନବ ଦିନକର ।

ବିହଙ୍ଗ ସ୍ୱଭାବେ ହେଲେ ଫୁଲ୍ଲ ଅପଘନ,

ବିହଙ୍ଗ ସ୍ୱଭାବେ ତେଣେ ଫୁଲ୍ଲ ସଂହନନ ।

ମଶକପଟଳ ପାଇ ତପନ-କିରଣ,

ପୁନଃ ପୁନଃ ଅଧଃ ଉର୍ଦ୍ଧ୍ୱେ କଲେ ସନ୍ତରଣ ।

ପତଙ୍ଗ ଉତ୍‌ଥାନେ ଏଣେ ଉତ୍‌ଥିତ ପତଙ୍ଗ

ନବରଙ୍ଗ(୫) କିରଣରେ କଲେ ନବ ରଙ୍ଗ ।

ପଶୁମାନେ ନିଦ୍ରା ତେଜି ଉଠିଲେ ଶୟନୁ,

ସଜୃମ୍ଭଣେ ଉନ୍ନୟନେ ସଳଖିଲେ ତନୁ ।

ଡାଳୁଡାଳେ ଡେଇଁ ଲୀଳା ଲଗାଇଲେ କିଶେ,

କେନ୍ଦୁ ଫଳେ ସୁଧା ଲଡ଼ୁ ପାଉଥିଲେ କି ସେ !

ଏହି କାଳେ କମଳିନୀ ଚାହିଁ ପତି-ମୁଖ,

ସଜଳନୟନ ହୋଇ ଦେଖାଇଲା ଦୁଃଖ ।

କହି ନ ପାରିଲା ଦରସ୍ଫୁଟିତ-ବଦନା,

ମଧୁକର ଆସି ସବୁ କଥା କଲା ଜଣା ।

ବିନୟେ ବୋଇଲା ଦେବଦେବ ଗ୍ରହରାଜ,

ଲୋକଙ୍କର ବ୍ୟବହାର କି କହିବି ଆଜ ।

ମୁଁ ଦୀନ ଭିକ୍ଷୁକ ନିତି ଦ୍ୱାରେ ଦ୍ୱାରେ ବୁଲି,

ମଧୁ ଭିକ୍ଷା କରୁଥାଏଁ କାଖେ ଧରି ଝୁଲି ।

କମଳିନୀଠାରେ ମୋର ବଡ଼ ଆଶା ଥାଏ,

ତା’ ମୁଷ୍ଟି ମଧୁରେ ଝୁଲିଗୋଟି ଭରିଯାଏ ।

ନିତି ଭିଖାରିର ଲୋକେ ନ ଥାଏ ଆଦର,

ଏହା ଭାବି ଥରେ ଭ୍ରମି ଗଲି ଦେଶାନ୍ତର ।

ଦେଖିଲି ମାନବଙ୍କର ତହିଁ ଅତ୍ୟାଚାର,

ସ୍ୱାର୍ଥ ପାଇଁ ନ କରନ୍ତି ଧର୍ମର ବିଚାର ।

୧। ପ୍ରାଚୀର-କାନ୍ଥ। ୨। ପ୍ରାଚୀର-ପୂର୍ବଦିଗର ।

୩। ବିହଙ୍ଗ-ପକ୍ଷୀ ଓ ସୂର୍ଯ୍ୟ। ୪। ପତଙ୍ଗ-ସୂର୍ଯ୍ୟ ଓ ଶଲଭ। ୫। ନବରଙ୍ଗ-ନୂତନ ଲାଲ ରଙ୍ଗ ଓ ନାନା କୌତୁକ।

 

ମହୁମାଛିମାନେ ମୋହ ପରି ଭିକ୍ଷା କରି,

ମଧୁ-ଧନ ରଖିଥିଲେ ଭଣ୍ଡାରରେ ଭରି ।

 

 

ମାନବେ ପ୍ରବେଶି ତହିଁ ଲଗାଇ ଅନଳ,

ତଡ଼ି ତାଙ୍କୁ ନେଇଗଲେ ସେ ଧନ ସକଳ ।

ଗତକାଲି ଆସୁଥିଲି ଏହି ସରୋବରେ,

ବଡ଼ ବଟବୃକ୍ଷଟିଏ ଦେଖିଲି ବାଟରେ ।

ତା’ ମୂଳରେ ଲୋକମାନେ ଦେଇ ଦେଇ ଜଳ,

ଶୀତଳ ଛାୟାକୁ କରୁଥିଲେ ସୁଶୀତଳ ।

ଜନ୍ମକାଳୁଁ ପୁଷ୍ପ ତାର ଦେଖି ନାହିଁ କେବେ,

ଦେଖିଲି ସୁରମ୍ୟ ରଙ୍ଗ ରଙ୍ଗ କିସ ଏବେ ।

ମଣ୍ଡିତ ହୋଇଛି ତହିଁ ବଟ କଳେବର,

ବୋଇଲି ନିଶ୍ଚୟ ପୁଷ୍ପ ହେବ ପାଦପର ।

ଜବେ ଯାଇ ବସି ଚୁମ୍ବି ଆରମ୍ଭିଲି ଲୋଭେ,

ଅଣୁମାତ୍ର ମଧୁ ବିନା ବାହୁଡ଼ିଲି କ୍ଷୋଭେ ।

ଭୀତ ନୁହେଁ ଯେ ପାଦପ ଛାମୁଙ୍କ ପ୍ରତାପେ,

ଅସଂଖ୍ୟ ପାଦରେ ଉଭା ହୋଇଅଛି ଆପେ ।

ଏଡ଼େ ବୃକ୍ଷ ନ ପାରିଲା କରି ମୋତେ ତୁଷ୍ଟ

ମାନିଲି କେବଳ ନିଜ କପାଳ ମୋ ଦୁଷ୍ଟ ।

 

 

ସେ ତରୁ ପ୍ରଶାଖାଟିଏ ଧରନ୍ତେ ବାରଣ,

ଲୋକମାନେ ମିଳି ତାକୁ କଲେ ନିବାରଣ ।

ବାରଣ ଚଳିଲା ତହୁଁ ସର ଅଭିମୁଖେ,

ପଦ୍ମିନୀ ସଦ୍ମରେ ଆସି ପ୍ରବେଶିଲା ସୁଖେ ।

ସୁକୁମାରୀ ପଦ୍ମିନୀକି କଲା ଆକ୍ରମଣ,

ନ ସହି ମୁଁ କଲି ଗଜ କପୋଳେ ଦଂଶନ ।

ଗଜ ନ ମାରନ୍ତେ ଗଲି ଦଉଡ଼ି ନଗରେ,

କାନ୍ଦି କାନ୍ଦି ଗୁହାରିଲି ପଶି ଘରେ ଘରେ ।

ଲୋକମାନେ ମୋଦେ ଥିଲେ କର୍ଣ୍ଣେ ଖୋସି ଫୁଲ,

କାନ୍ଦିଲି ସେ କର୍ଣ୍ଣ ପାଶେ ହୋଇ ମୁଁ ଆକୁଳ ।

ରାଗେ ମୋତେ ତଡ଼ିଦେଲେ ଅଇଲି ପଳାଇ,

ଛାମୁକୁ ଆସିଛି ଏବେ ସେ କଥା ଜଣାଇ ।

ଲୋକମାନେ ନେଇଥାନ୍ତି ପଦ୍ମ ଭାର ଭାର,

ବିପଦକାଳକୁ ତାର ପ୍ରତି ଏ ବେଭାର ।

କୁସୁମବିହୀନ ବଟେ ଏତେ ସମାଦର,

ଧର୍ମ ଅବତାର ଯାହା ଇଚ୍ଛା ତାହା କର ।

 

 

ତରୁଣ ଭାସ୍କର ଉଚ୍ଚ କୃଶ କଳେବର,

ମହୀକି ଲମ୍ବାଉଥିଲେ ଅପ୍ରଖର କର ।

ସେତିକି ବେଳରୁ ତେଜପୂର୍ଣ୍ଣ ଅପଘନ,

କଠୋର ନୀତିରେ କଲେ ଅବନୀ ଶାସନ ।

ଆମ୍ଭଠାରେ ନ ରଖିଲେ ନବବନ୍ଧୁ ଭାବ,

ରାଜତ୍ୱ ପ୍ରଚାର କଲେ ପ୍ରକାଶି ପ୍ରଭାବ ।

ଏକଛତ୍ର ଚକ୍ରବର୍ତ୍ତୀ ଦେବ ବିକର୍ତ୍ତନ;

ପ୍ରଚଣ୍ଡ ନିୟମାବଳୀ କଲେ ପ୍ରବର୍ତ୍ତନ ।

ପ୍ରଚଣ୍ଡ ଶାସନ-ଦଣ୍ଡ କରେ ଧରି ନିଜେ,

ପ୍ରକାଣ୍ଡ ଗଗନ-ଗଜପୃଷ୍ଠେ କଲେ ବିଜେ ।

ବଢ଼ିଲା ବେଳକୁ ବେଳ ତାହାଙ୍କ ପ୍ରତାପ,

ଅଧିକୁଁ ଅଧିକ ଦେଲେ ଧରଣୀକି ତାପ ।

ଗାଢ଼େ କଲେ ଧରଣୀର ଜୀବନ ଶୋଷଣ,

ନ ବୁଝିଲେ ହେବ ତହିଁ ବିପକ୍ଷ ପୋଷଣ ।

ଦେଖିଲେ ମହୀକି ସାହା ହେଉଅଛି ଛାୟା,

ତା’ ପ୍ରତି ନିଷ୍ଠୁର ହେଲେ ତେଜି ପତ୍ନୀମାୟା ।

 

 

ଛାୟା କରିଥିଲା ଯେତେ ଭୂମି ଅଧିକାର,

କ୍ରମରେ ହରିଲେ କରି ସ୍ୱକର ବିସ୍ତାର ।

ସ୍ୱାମୀ ଅବାଧ୍ୟତା ଚାହିଁ ଛାୟା ଅପସରି,

ରହିଗଲା ପାଦପର ତଳ ଆଶ୍ରା କରି ।

ମସ୍ତକ ଉପରେ ଚଢ଼ି ପ୍ରଚଣ୍ଡ ତପନ,

କରାଘାତେ ବିକମ୍ପିତ କଲେ ଜୀବଗଣ ।

ପ୍ରଜାପୁଞ୍ଜ ବିଚଳିତ ହୋଇ ରବି ତ୍ରାସେ,

ଆଶ୍ରୟ ଲୋଡ଼ିଲେ ଯାଇ ଛାୟାରାଣୀ ପାଶେ ।

ଦର୍ପଣେ ଫଳିତ ହୋଇ କାଚବାଡ଼ ଭେଦି,

ଇଚ୍ଛିଲେ ଭାସ୍କର ଗୃହେ ଛାୟା ତନୁ ଛେଦି ।

ଛାୟାକୁ ଧରିବା ଲାଗି ହୋଇ କ୍ରୋଧଭର,

ଲୋଡ଼ି ଲୋଡ଼ି ଛିଦ୍ରମାନ ଲମ୍ବାଇଲେ କର ।

ତପନ ତାପରେ ହେଲା ଧରଣୀ ବିକଳ,

ରସନା ଲମ୍ବାଇ ଶ୍ୱାନ ଲୋଡ଼େ ଛାୟାତଳ ।

ତରୁଡାଳେ ବସି ପକ୍ଷୀ ବିବୃତ ବଦନ,

କ୍ୱଚିତ ଶୁଭଇ ତାର ନିଶୀର୍ଣ୍ଣ ନିଃସ୍ୱନ ।

 

 

କ୍ୱଚିତ ଉଡ଼ଇ ଏକ ବୃକ୍ଷୁଁ ବୃକ୍ଷାନ୍ତର,

ଅବିଳମ୍ବେ ବସେ ହୋଇ ଆତପକାତର ।

କୁକାଳ ଆସିଲା ବୋଲି ପାରାବତଗଣ,

କୁକୁକୁକୁକୁକୁ ରବ କରି ବିଘୋଷଣ ।

ନିସ୍ତେଜ ଲୋଳିତ ନବକିଶଳୟଚୟ,

ନତମୁଖେ ଲୋଡ଼ୁଥାନ୍ତି ଛାୟାର ଆଶ୍ରୟ ।

ଗୋରୁଏ ପଡ଼ିଲେ ଆଶ୍ରା କରି ତରୁତଳ,

ଧୀରେ ଧୀରେ କରୁଥାନ୍ତି ରୋମନ୍ଥ କେବଳ ।

ମାନବ କେ ଆଶ୍ରା କଳା ପ୍ରାସାଦର ଛାଇ,

କେ ଅବା ରହିଲା ନିଜ କୁଟୀରକୁ ଯାଇ ।

ପଥିକ ଚାଲିଲେ ପଥ ଛତ୍ର ଧରି କରେ,

ନ ଗଲେ ନ ଚଳେ ବୋଲି ବିଚାରି ମନରେ ।

ହେଲେହେଁ ତପତ ଶାନ୍ତି ଲଭିବା ଆଶାରେ

ମହିଷ ସକଳ ଯାଇ ପଡ଼ିଲେ କାସାରେ ।

ପଲଳ ଭିତରେ ପଶି ସକଳ ବରାହ,

ତପତ ତରଳ ପଙ୍କେ କଲେ ଅବଗାହ ।

 

 

ଝର୍ଝର ଶବଦ ପୂର୍ଣ୍ଣ ନିର୍ଝର ସଲିଳେ,

ବନ ମତଙ୍ଗକଗଣ ପ୍ରବେଶି ଖେଳିଲେ ।

ସର୍ବଂସହା ସହି ନେଲା ସେ ତପ୍ତ ପ୍ରହାର,

ସହିଲା ବୋଲି ତା ହେବ ଭାବି ଉପକାର ।

ଜୀବନ କଣିକା ଦେବା ନୁହଇ ଅସାର,

ସେ କଣିକାରାଶି ହୁଏ ଅମୃତର ଧାର ।

କଣିକା କଣିକା ଯାଇଅଛି ଯେ ଜୀବନ,

ଶୋଷକେ ଗ୍ରାସିବ ତାହା କାଳେ ହୋଇ ଘନ ।

ଯମର ଜନକ ବୋଲି ନ ରହିବ ଭୟ,

କର୍କଟ ରବି କି ନିଶ୍ଚେ କରିବ ଅଥୟ ।

ସିଂହରେ ବିରାଜି ହୋଇ କାଳିକାବତାର

ଚିହ୍ନ ବର୍ଣ୍ଣ ନ ରଖିବ ଆଉ ସବିତାର।

ଦେଖୁଁ ଦେଖୁଁ ଦିବାକର ଖସିଲେ ଗଗନୁ,

କ୍ରମେ କ୍ରମେ ତେଜ ଋଣା ହୋଇଗଲା ମନୁ ।

ଯେତିକି ଉପରେ ହୋଇଥିଲେ ସମୁତ୍‌ଥିତ,

ତେତିକି ତଳରେ ଯାଇ ହେଲେ ନିପତିତ ।

 

 

ବୁଡ଼ିଲେ ବୁଡ଼ିଲେ ବୋଲି ପଡ଼ିଲା ଚହଳ,

ହାଟେ ବାଟେ ହେଲା ନର ଯାଦବୀ ଗହଳ ।

ଗଛେ ଗଛେ ପକ୍ଷିଗଣ ହୋଇ ଦଳ ଦଳ,

ବ୍ୟସ୍ତ ହୋଇ ନାନା ରଙ୍ଗେ କଲେ କଳକଳ ।

ଉଡ଼ୁଥାନ୍ତି ବସୁଥାନ୍ତି ନ ଛାଡ଼ି କାକଳି,

କାହିଁକି ସେ କୋଳାହଳ ହୁଏ ନାହିଁ କଳି ।

କି ଭୟରେ ପୁଣି ସର୍ବେ ଉଡ଼ି ଫରଫର,

ଆଶ୍ରୟ ନିୟନ୍ତି ଯାଇ ଅନ୍ୟ ପାଦପର ।

ରବି ଅସ୍ତେ ଆଗମନ ଭୁବନେ ସନ୍ଧ୍ୟାର,

ବେଳୁଁ ବେଳ ଗାଢ଼ ହୋଇ ଆସିଲା ଅନ୍ଧାର ।

ଶିଶୁ ଥିଲେ ଦିନକର ଯୁବା ହେଲେ କ୍ରମେ,

ବୃଦ୍ଧ ହେବି ବୋଲି ମନେ ଥିଲା ନାହିଁ ଭ୍ରମେ ।

ଜରା ଆକ୍ରମଣେ ତାଙ୍କ ତେଜ ହେଲା କ୍ଷୟ,

ଚରମଦଶାରେ ତନୁ ପ୍ରାପ୍ତ ହେଲା ଲୟ ।

ନାହିଁ ଦିବାକର ଆଉ ନାହିଁ ସେ ପ୍ରତାପ,

କମଳିନୀ ବସିଅଛି କରି ମନସ୍ତାପ ।

 

 

ଲୋକଲୋଚନକୁ ସବୁ ଦିଶିଲା ଏମନ୍ତ,

ପ୍ରକୃତେ ନୁହନ୍ତି ରବି ଉଦୟ ବା ଅସ୍ତ ।

ପ୍ରଥମେ ପଡ଼ିଲେ ନେତ୍ରେ ବୋଲୁଁ ତା’ ଉଦୟ

ଚକ୍ଷୁରନ୍ତରାଳ ହେଲେ କହିଥାଉଁ ଲୟ ।

୧। ଜୀବନ-ଜଳ।, ୨। ଅମୃତ-ଜଳ, ୩। କର୍କଟ-ଶ୍ରାବଣ, ୪। ସିଂହ-ଭାଦ୍ରବ, ୫। କାଳିକା-ମେଘମାଳ, ୬। ଯାଦବୀ-ଗୋମହିଷାଦି ଧନ ।

 

ଅନନ୍ତ କାଳର ରବି ଜ୍ୟୋତିର ସେ ଧାମ,

ଦୃଶ୍ୟ ଅନୁରୂପେ ଭିନ୍ନ ଭିନ୍ନ ମାତ୍ର ନାମ ।

ନ ହୁଅନ୍ତି ଶିଶୁ ଯୁବା ଅଥବା ସ୍ଥବିର,

ଅଟଳ ବୟସ ହିତକାରୀ ପୃଥିବୀର ।

ଆଜି ଯେହୁ ଅସ୍ତ ହେଲେ କାଲି ସେ ଉଦିତ,

ତାହାଙ୍କ ଏ ଭାବେ ଏକା ବ୍ରହ୍ମ ଉପମିତ ।

ପ୍ରକାଶିତ ହେଲେ ବ୍ରହ୍ମ ପ୍ରାଣଟିଏ ଧରେ,

ବ୍ରହ୍ମ ଲୁଚିଗଲେ ଜନ୍ତୁ ପ୍ରାଣମାତ୍ର ମରେ ।

ଭାସ୍କର ଅନ୍ତର ହେଲେ ଦିନମାତ୍ର ଶେଷ,

ଭାସ୍କର ମନରେ ନାହିଁ ସୁଖ ଅବା କ୍ଳେଶ ।

 

 

ଦିନକୁ ଗ୍ରାସଇ ଘନ ଆଚ୍ଛାଦି ଆକାଶ,

ଯାଇ ନ ପାରଇ କେବେ ଦିବାକର ପାଶ ।

ପ୍ରାଣକୁ ଧରନ୍ତି ରୋଗ ଶୋକ ମୋହ ଆଦି,

ନ ପାରନ୍ତି ବ୍ରହ୍ମଙ୍କର ଅଶୁଭ ସମ୍ପାଦି ।

ଯେ ପାଖେ ଦିଶନ୍ତି ରବି ସେହି ପାଖେ ଦିନ

ବ୍ରହ୍ମରେ ଜଡ଼ିଲେ ପ୍ରାଣ ହୁଏ ଦୁଃଖହୀନ ।

ହୁଅ ମନ ସେ ପରମବ୍ରହ୍ମରେ ତନ୍ମୟ,

ତୋ’ପକ୍ଷେ ଜଗତ ହେବ ସୁଖର ଆଳୟ ।

କୋଟି କୋଟି ସୂର୍ଯ୍ୟ ଯା’ର କରକ୍ରୀଡ଼ନକ,

ପ୍ରେମେ ଜ୍ଞାନୀ କରେ ତାଙ୍କୁ ହୃଦର ପଦକ ।

କରନ୍ତି ସେ ଶାନ୍ତି ଦାନ ହୃଦ-ତାପ ହରି,

ଶୋକ ମୋହ ନ ରହନ୍ତି ପାଶେ ତାଙ୍କୁ ଡ଼ରି ।

ସେହି ଏକା ଜୀବନରେ ଆଜନ୍ମ ବାନ୍ଧବ,

ତାଙ୍କ ଯୋଗୁଁ ଜଗତରେ ସକଳ ବିଭବ ।

ଜଗିଛନ୍ତି ଜୀବ ପଛେ ଜାଗ୍ରତେ ଶୟନେ

ଶତ ଶତ ଅପରାଧ ନ ଘେନନ୍ତି ମନେ ।

 

 

କଦାପି କୁତ୍ରାପି ଯଦି ହୋଇଥାଏ କ୍ଷତ,

ତାହା ପୂର୍ଣ୍ଣ କରିବାକୁ ହୋଇଥାନ୍ତି ବ୍ୟସ୍ତ ।

ପ୍ରତି ଜୀବପ୍ରତି ତାଙ୍କ ଏହି ବ୍ୟବହାର,

ପ୍ରତିକ୍ଷଣେ କରୁଛନ୍ତି ବିଶ୍ୱ ଉପକାର ।

ତାଙ୍କର ବିଧାନେ ଗ୍ରୀଷ୍ମ, ବରଷା, ଶରଦ,

ହେଉଛନ୍ତି କାଳଚକ୍ରେ ଭ୍ରମ ହିତ-ପ୍ରଦ ।

ହେମନ୍ତ, ଶିଶିର ଆସି ନେଲେ ଅବସର,

ହିତ ସାଧି ଆସିଅଛି ‘ବସନ୍ତବାସର’ ।

କରୁଅଛି ପାଦପଙ୍କ ଜୀର୍ଣ୍ଣ ସଂସ୍କରଣ,

ମାନବ ଶରୀରେ ନବ ରକ୍ତସଞ୍ଚରଣ ।

ପ୍ରଭାତେ, ପ୍ରଦୋଷେ ଦେଇ ମଧୁର ପବନ,

ପଲ୍ଲବିତ କରୁଅଛି ମାନବ-ଜୀବନ ।

ଅମଳ କମଳ ଜଳେ, ଉପବନେ ମଲ୍ଲୀ,

କାନନେ ନିସର୍ଗ କୋଳେ କୁସୁମିତ ବଲ୍ଲୀ ।

ନବୀନ ଜୀବନେ ହେଉଛନ୍ତି ଉଲ୍ଲସିତ,

ତହିଁ ସଙ୍ଗେ ମନ ଥରେ ହୁଅ ଉଦ୍ଭାସିତ ।

କରି ମହାମହିମଙ୍କ ମହିମା ସ୍ମରଣ,

ନିଅ ସେ ମଙ୍ଗଳମୟ ଚରଣେ ଶରଣ ।

 

ସୋମନାଥ-ବିଜୟ

(୧)

 

ଦେବଦେବ ସୋମନାଥ ଭୂତସହଚର

ଜ୍ଞାନ-ନୟନରେ କରି ଭବିଷ୍ୟ-ଦର୍ଶନ ।

ଭୂତମେଳ ଛାଡ଼ି ଆସି କରିଅଛ ଘର

ମନୋହର ସ୍ଥାନ ଖଣ୍ଡି କରି ନିର୍ବାଚନ ।

ବାୟବ୍ୟେ ରହିଛି ଯା’ର ଛତର ସାଗର

ଶ୍ୱେତଶତଦଳମାଳେ ମଣ୍ଡି ଅପଘନ ।

ପୂର୍ବେ ବାଲିବନ୍ଧା ରଙ୍ଗ-କମଳ ଆକାର

ଆପାଦମସ୍ତକ ସେତୁ ସୋପାନ-ସମ୍ପନ୍ନ ।

ସୋପାନ ପଥରେ ଉଠି ବାଲିବନ୍ଧା ଜଳ

ନିତି ଧୋଉଅଛି ତୁମ୍ଭ ଚରଣକମଳ ।

 

(୨)

 

ଦକ୍ଷିଣରେ ମହାନଦୀ ହୁଏ ପ୍ରବାହିତ

ବିଶ୍ୱନାଥ ପାଶେ ଯଥା ସୁରତରଙ୍ଗିଣୀ ।

କିନ୍ତୁ ସେ ଧବଳବେଣୀ ବୃଦ୍ଧାରେ ଗଣିତ,

ଏ ସୁରମ୍ୟ ନୀଳ ବେଣୀ ମାନସରଞ୍ଜିନ ।

ଦିଗ୍‌ଗଜ ପରାଏ କେତେ ପ୍ରକାଣ୍ଡ ଉପଳ

ମହାନଦୀ ଜଳେ ହୋଇଛନ୍ତି ନିମଜ୍ଜିତ ।

କେତେ ଅବା ତୋଳିଛନ୍ତି ମସ୍ତକ କେବଳ,

ପୁଳିନରେ ହୋଇଛନ୍ତି କେତେ ଦଣ୍ଡାୟିତ ।

ଭାବିଛନ୍ତି ପରା ମନେ ପୂଳିନ ପଥରେ

ମଜ୍ଜିବା ପ୍ରାବୃଟ କାଳେ ମନୋମତ ଥରେ ।

 

(୩)

 

ଭିକ୍‌ଟୋରିଆଘାଟ ଚିଟନବିସଙ୍କ ଘାଟ

ହୋଇଛି ଯା’ ସୁମଞ୍ଜୁଳ ସୋପାନେ ସଜ୍ଜିତ ।

ମହାନଦୀ ମେଳ ପାଇଁ ଏ ସୁଗମ ବାଟ

ହେବ ପରା ଥିଲା ତୁମ୍ଭ ମାନସେ ସଞ୍ଚିତ ।

କୈଳାସବିହାରଶଧ ମେଣ୍ଟାଇବା ପାଇଁ

ସଜ୍ଜିତ ହୋଇଛି ପାଖେ ବୁରୁଜ ମସ୍ତକ ।

ସୁଗମ ସୋପାନପଥେ ଉଠି ଦେବସାଇଁ

ବସି ତହିଁ ପଢ଼ୁଥାଅ ପ୍ରକୃତି ପୁସ୍ତକ ।

ପାରିବେ ଦର୍ଶନ କରି ତୁମ୍ଭ ଶ୍ରୀଚରଣ

ରାଜଘାଟ-ଶ୍ମଶାନରୁ ତୁମ୍ଭ ଭୂତଗଣ ।

 

(୪)

 

ଛତର ସାଗରୁ ଆସି ଶ୍ୱେତପଦ୍ମବାସ

ବକମ କୁସୁମ ବାସ ସଙ୍ଗେ ଘେନି ପଥେ ।

ନାସିକା ତର୍ପଣ ପାଇଁ ତୁମ୍ଭ ଚଉପାଶ

ପ୍ରଦକ୍ଷିଣ କରୁଥିବ ତହିଁ ଅବିରତେ ।

ବାଲିବନ୍ଧ କମଳର ପରିବଳ ଆସି

ଜଳ-ଦଳ ଦଳବାତେ ହୋଇ ଆମନ୍ତ୍ରିତ ।

ସେ ସଙ୍ଗେ ମିଶିବ ଜାତି ସେନେହ ପ୍ରକାଶି

ତାଙ୍କ ସେ କୌତୁକେ ନିଶ୍ଚେ ହେବ ହରଷିତ ।

ହୃଦୟେ ସେକାଳେ ହେବ ଶାନ୍ତିର ବିକାଶ

ଜଗତରେ ଯହିଁ ଶାନ୍ତି ସେହି କଇଳାସ ।

 

(୫)

 

ତେଣେ ଦାନୀମଠୁଁ ଏଣେ ରସାଳବନରୁ

ଆସୁଥିବ ପିକଧ୍ୱନି ଶ୍ରମଣରଞ୍ଜନେ ।

ଜଳଚର ପକ୍ଷିନାଦ ଉଠି ସରୋବରୁ

ମଧୁମୟ ହେଉଥିବ ମଧୁପ ଗୁଞ୍ଜନେ ।

 

 

 

ତରଙ୍ଗିଣୀ ତରଙ୍ଗର କଳକଳ ରବ

କର୍ପୂର-ଧବଳ ବାଲିବନ୍ଧ ଅତିକ୍ରମି ।

ନିଭୃତ ସମୟ ପାଇ କରୁଥିବ ସ୍ତବ

ନଗରର କୋଳାହଳ ମଧ୍ୟରେ ନ ଭ୍ରମି ।

ତରଙ୍ଗ-ଶୀକର-ସ୍ନିଗ୍‌ଧ ଦକ୍ଷିଣ ପବନ

ନିତି ନିତି କରୁଥିବ ପଦ ପ୍ରକ୍ଷାଳନ ।

 

(୬)

 

କାନ୍ଦୁଅଛି ରାଜପୁର କପୋତ ବଦନେ

ବିକଳ ଉଚ୍ଛ୍ୱାସେ କରି ସକୁରଣ ସ୍ୱର ।

ପୂର୍ବ ଗଉରବମାନ ସ୍ମରି ସ୍ମରି ମନେ

ତମ ବ୍ୟାଜେ ଦୁଃଖେ ଭରି ହୃଦୟ-କନ୍ଦର ।

ଯେ ଉଜ୍ଜ୍ୱଳ ଅବରୋଧ ଉଜ୍ଜ୍ୱଳ ବସନେ

ଉଜ୍ଜ୍ୱଳ ରତନେ ହେଉଥିଲା ଉଦ୍ଭାସିତ ।

ତାକୁ ଆଜ ଲୂତାତନ୍ତୁ ଜାଲ ଢାଙ୍କେ ଘନେ

କରୁଅଛି ଚର୍ମଚଟୀ ମଳ ଦୁର୍ବାସିତ ।

ଦେଖ ନାଥ! ଯାଉଅଛି ଫାଟି ତାର ହୃଦ,

ପାଶେ ଥାଉଁ ଥାଉଁ ତୁମ୍ଭେ ଅନାଥସୁହୃଦ ।

 

(୭)

 

ପୂର୍ବ ପଶ୍ଚିମରେ ଥାଉ ରମ୍ୟ ଶ୍ୟାମ ବନ

ଗଗନକୁ ଟେକିଛନ୍ତି ଲମ୍ବ ଲମ୍ବ ଚୂଳ ।

ବାଲିବନ୍ଧା ଜଳ ତଳ ପାତାଳ ଭବନ

ମଣୁଛନ୍ତି ନିମ୍ନଶିରେ ଭେଦି ବେନି କୂଳ ।

ଦିଶୁଛନ୍ତି ବେନି ବନ ପରସ୍ପର କର-

ପ୍ରସାରଣ କରୁଛନ୍ତି ଛନ୍ଦିବାର ଲୋଭେ ।

ଜଳ ଲଙ୍ଘନରେ ହୋଇଛନ୍ତି ଅଗ୍ରସର,

ନ ପାରି ନୀରବେ ଯେହ୍ନେ ରହିଛନ୍ତି କ୍ଷୋଭେ ।

ଲୋଭର ପୂରତି ନାହିଁ, କ୍ଷୋଭ ତାର ଫଳ

ଆଶ୍ରିତେ ଫଳାଉଛ କି? ଆଶ୍ରିତବତ୍ସଳ !

 

(୮)

 

ମୁଚୁକୁନ୍ଦ ଗନ୍ଧ ଯେବେ ମରୁତ ବାହନେ

ଆରୋହି ସଗର୍ବେ କରିଥିବ ଦିଗ୍‌ବିଜୟ ।

ନ ପାଇ ସ୍ୱସମ ବୀର ଭୂତଳେ ଗଗନେ,

ନାସାରନ୍ଧ୍ର ପଥେ ପଶି ଜିଣିବ ହୃଦୟ ।

 

 

ମଞ୍ଚମନ ବାନ୍ଧି ନେଇ ତା ପଞ୍ଚକଟକେ,

ଅବରୋଧି ଦେବ ଶୁଦ୍ଧ ପ୍ରସାଦ ଆହାର ।

ଶ୍ଳାଘ୍ୟ ମଣୁଥିବ ମନ ଥିଲେହେଁ ଅଟକେ,

ନ ବାଞ୍ଛିବ ଆଉ ନିଜ ସ୍ୱଚ୍ଛନ୍ଦ ବିହାର ।

ଭାଗ୍ୟ ଥିଲେ ସେହି କାଳେ ପ୍ରପଞ୍ଚ ଜୀବନ

ସ୍ମରିବ ତୁମ୍ଭର କୃପା ହେ ପଞ୍ଚବଦନ !

(୯)

 

ଯେତେବେଳେ ଲାଗିଥିବ ଚନ୍ଦନଉତ୍ସବ

ଜଳେ ସ୍ଥଳେ ହେଉଥିବ ଚନ୍ଦ୍ରିକାର ଲାସ୍ୟ ।

ବୀଚି ବୀଚି ଫୁଟୁଥିବ ତା’ କାନ୍ତି ଚାରବ

ପର୍ଣ୍ଣେ ପର୍ଣ୍ଣେ ପ୍ରକଟିତ ହେଉଥିବ ହାସ୍ୟ ।

ହେଉଥିବ ଅଙ୍ଗେ ଅଙ୍ଗେ ଚନ୍ଦନବର୍ଷଣ

ସଙ୍ଗେ ସଙ୍ଗେ ପ୍ରାଣେ ପ୍ରାଣେ ପୁଲକ ସଞ୍ଚାର ।

କେଳିକଦମ୍ବର ହୋଇ ରୋମ ପ୍ରହର୍ଷଣ

ସଉରଭ ଛଳେ ହେବ ହରଷ ପ୍ରଚାର ।

ତୁମ୍ଭ ଯୋଗେ ବର୍ତ୍ତମାନ ଏ ସୁଖର ହାଟ,

କର ତାକୁ ବର୍ଦ୍ଧମାନ ପ୍ରଥମ ସମ୍ରାଟ୍ ।

 

(୧୦)

 

ବସନ୍ତେ ଅନାଇଁ ଦୂରୁଁ ଶାଳ୍ମଳୀର ରଙ୍ଗ

ନିଶ୍ଚୟ ଆସିବେ ଏଠେ ହୋଇ ଦଳ ଦଳ ।

ଗଗନମଣ୍ଡନ କରି ତେଲିଆ-ବିହଙ୍ଗ

କରିବାକୁ ଶାଳ୍ମଳୀର ବିକାଶ ସଫଳ ।

ଫୁଲେ ଫୁଲେ ବସି ପୁଣି ଡେଇଁ ଫୁଲ ଫୁଲ,

ଚାଖି ଚାଖି ଦୁଇ ତିନି ମିଶି ମକରନ୍ଦ ।

ଚଞ୍ଚଳ ଚଞ୍ଚୁରେ ଖାଉଥିବେ ପୁଷ୍ପଚୂଳ,

ସୁମଧୁର ରାବି ରାବି ପ୍ରକାଶି ଆନନ୍ଦ ।

ହେଉଥିବ ପୁଣି ତଳେ କୁସୁମବର୍ଷଣ,

ସେ ଦୃଶ୍ୟ କରିବ ତବ ଚିତ୍ତ ଆକର୍ଷଣ ।

 

(୧୧)

 

‘ବର୍ହାକାନୀ’ ଆମ୍ରବନୁ ଆସିବେ ଭ୍ରମରେ,

ସୁଖେ ଲଙ୍ଘି ସ୍ୱଚ୍ଛ ନୀର ସୁନାମୁହୀ ଧାର ।

ବିଚକୁଦୁଳୀରେ କ୍ଷଣେ ଅଟକି ଭ୍ରମରେ,

ଘନସାର ଦ୍ୱୀପମଣି କରିବେ ସଞ୍ଚାର ।

 

 

ନ ପାଇ କୁସୁମ ତହିଁ ଉଡ଼ିବେ ସତ୍ୱର,

ପାଇବେ ଏଠାରେ ପୁଷ୍ପ-ବିଭବ-ଭଣ୍ଡାର ।

ଅଳଂକୃତ କରେ ତୁମ୍ଭ ପ୍ରାସାଦେ ଚତ୍ୱର

ଆକାରକୁ ଅନୁକରି ମାଣିକ୍ୟ ଧଣ୍ଡାର ।

ହିଞ୍ଜଳ କୁସୁମ ଝୁଲୁଥିବ ମାଳ ମାଳ,

ବିସ୍ମରି ପାରିବେ ନାହିଁ ତାକୁ କାଳ କାଳ ।

(୧୨)

 

ସ୍ଥାନେ ସ୍ଥାନେ ନଗରରୁ ସୋପାନ ଆବଳୀ

ଯାଇ ହେଉଅଛି ସାନ ଧାରରେ ପ୍ରବେଶ ।

ତହୁଁ ଚାହିଁ ନାଗରିକେ ହୋଇ କୃତାଞ୍ଜଳି

ବନ୍ଦିବେ ଶ୍ରୀପଦ ବୋଲି ‘ନମୋ ବ୍ୟୋମକେଶ’ ।

ପୁଣ୍ୟମାସ ପ୍ରଭାତରେ ପୁରାଙ୍ଗନାଗଣ

ଘାଟେ ଘାଟେ ସ୍ନାନ କରି ବିଶୁଦ୍ଧ ହୃଦୟେ ।

ଗାଇ ସୁମଧୁର ଗୀତ ତୋଷିବ ଶ୍ରବଣ,

ଗୁହାରି କରିବେ ଯାହା ଘେନିବ ସଦୟେ ।

ମୃଦୁକଣ୍ଠବିନିଃସୃତ ସେ ଅମିୟ ଗାନ

ଶୁଣି କିନ୍ନରୀଏ ମନୁ ତେଜିବ ଗୁମାନ ।

 

(୧୩)

 

ନଗର ଦିଶିବ ତହୁଁ ପାଦପସଙ୍କୁଳ,

ଚିତ୍ତେ ଆସି ଉପୁଜିବ କାନନର ଭ୍ରମ ।

କ୍ୱଚିତ ଦିଶିବ ଖଣ୍ଡ ଖଣ୍ଡ ସୌଧଚୂଳ

ଧରାଧର ତନୁଲିପ୍ତ ବରଫର ସମ ।

ଦୃଶ୍ୟ ହେବ ପଶ୍ଚିମରେ ନଦୀତୀରବକ୍ଷେ

କମ୍ପାନୀର ଦୀର୍ଘକାୟ ଭାସମାନ ସେତୁ ।

ଲହଣ୍ଡାଗିରିରୁ ଯେହ୍ନେ ପରପାର ଲକ୍ଷେ

ମହୋରଗ ଆସେ ରେଳ ବଂଶୀଧ୍ୱନି ହେତୁ ।

ଜଳ ଦେଖି ତା’ ଉପରେ ରହିଛି ପହଁରି

ଲୌହ ଢୋଳ ଦିଶେ ଅଙ୍ଗ ନୀଳରେଖାପରି ।

(୧୪)

 

ନଦୀଗର୍ଭେ ମନୋହର ଧବଳ ସୈକତ,

ତହିଁ ମଧ୍ୟେ ମନୋହର ସ୍ୱଚ୍ଛ ଜଳଧାର ।

ତବ କୋଳେ ଗିରିରାଜସୁତା ଶ୍ୟାମାବତ

କରୁଅଛି ନୟନରେ ପୀରତି ସଞ୍ଚାର ।

ତହୁଁ ଯେତେ ଦୂର ଦୃଷ୍ଟି କରଇ ଗମନ

ଘନଶ୍ୟାମ ବନ ଗିରିରାଜି ବିରାଜିତ ।

ଅବନୀର ସୁଷମାରେ ହୋଇ ନିଗମନ

ହୃଦୟର ଦୁଃଖରାଶି କରେ ବିତାଡ଼ିତ ।

ଆଗ୍ନେୟ ଦିଗରେ ସାନୁପଟଳର ଘନ-

ସନ୍ନିବେଶ ମଧ୍ୟେ ପଶି ରହିଯାଏ ମନ ।

(୧୫)

 

ବଢ଼ିଥିବ ନଦୀ ଯେବେ ଚାପି କୂଳଦ୍ୱୟ

ପ୍ରକାଣ୍ଡ ଉପଳପଲ ଯାଇଥିବେ ବୁଡ଼ି ।

ନାଚୁଥିବ ଶିରେ ତାଙ୍କ ତରଙ୍ଗନିଚୟ,

ଭାସୁଥିବେ କାଷ୍ଠମାନ ସ୍ରୋତରେ ଦଉଡ଼ି ।

କାଷ୍ଠ ଆଣୁଥିବେ ଲୋକେ କରି ସନ୍ତରଣ,

ନାବକେଳି କରୁଥିବେ କଉତୁକୀ ଦଳ ।

କରୁଥିବେ ସୁମଧୁର ସଙ୍ଗୀତ ଗାୟନ,

ତହିଁ ସଙ୍ଗେ ବାଜୁଥିବ ସୁସ୍ୱର ମର୍ଦ୍ଦଳ ।

କୃପା ବହି ଦେଉଥିବ ତାହାଙ୍କୁ ଅଭୟ,

ସହର୍ଷେ ବୋଲିବେ ‘‘ଜୟ ସୋମନାଥ ଜୟ ।’’

(୧୬)

 

ରାମେଶ୍ୱର ବିଷମରେ ତେତେବେଳେ ନାବ

ନାଚୁଥିବ ସମୁତ୍ତୁଙ୍ଗ ତରଙ୍ଗ-କାନନେ ।

‘‘ଜୟ ସମଲାଈ ଜୟ’’ ବୋଲି ଉଚ୍ଚ ରାବ

କରୁଥିବେ ମାଝିଗଣ ଆରକ୍ତ ଆନନେ ।

ଆବର୍ତ୍ତରେ ହେଉଥିବ ସ୍ରୋତ ବାଟବଣା,

ଆରୋହୀଙ୍କ ହେଉଥିବ ଜୀବନ-ସଂଶୟ ।

ସିକ୍ତ କରୁଥିବ ତାଙ୍କୁ ବୀଚି ଜଳକଣା,

ମାଝୀ ସହ ବୋଲୁଥିବେ, ‘‘ସମଲାଈ ଜୟ’’ ।

ଦେଖୁଥିବ ନାଥ ତାଙ୍କୁ କରିଦେବ ପାର,

ହୃଦୟରେ କରି ନିଜ ସନ୍ତାନ-ବିଚାର ।

(୧୭)

 

ନିତି ନିତି ଦେଖୁଥିବ ଲହଣ୍ଡା ଉପରେ

ସାୟନ୍ତନୀ ପ୍ରକୃତିର ମନୋହର ଖେଳା ।

ପାଟଳ ଗଗନପଟେ ବିବିଧ ରୂପରେ

ନାନା ରଙ୍ଗ ବାଦଲଙ୍କ ଲାଗିଥିବ ମେଳା ।

ନବ ନବ ଅଭିନୟ ନବ ନବ ବେଶ,

ନବ ନବ କାନ୍ତିମୟ ନବ ନବ ଛବି ।

ନବ ନବ ଶୋଭା ଘେନି କରିବେ ପ୍ରବେଶ,

ସମୟେ ସମୟେ ତହିଁ ଯୋଗଦେବେ କବି

ଉଇଁଥିବ ଦ୍ୱିତୀୟାର ଚନ୍ଦ୍ର ଯେଉଁ ଦିନ,

କା ନେତ୍ର ନ ହେବ ଚାହିଁ ପଲକବିହୀନ ?

 

(୧୮)

 

ପଶ୍ଚିମେ ଉଠିବ ଯେବେ ଜଳଦ-ପଟଳ,

ହେଉଥିବ ସୌଦାମିନୀ ଲାସ୍ୟେ ବିଲାଞ୍ଛିତ ।

ଇନ୍ଦ୍ରଧନୁ ଉଠି ତହିଁ ଦିଶିବ ଉଜ୍ଜ୍ୱଳ,

ଶ୍ୟାମଳ ଅଚଳ ଶିର ହେବ ଶୋଭାଞ୍ଚିତ ।

ନବୋଦିତ ଦିନକର କନକ କିରଣ,

ଧୀରେ ହେଉଥିବ ନଦୀବକ୍ଷେ ବିରାଜିତ ।

ହାସ୍ୟମୁଖ ହେଉଥିବ ତଟ ତରୁଗଣ,

ବାଲିବନ୍ଧା ହୋଇଥିବ ରାଜୀବ-ରାଜିତ ।

ଉଠାଇ ତ ଥିବେ ଆସି ତୁମ୍ଭ ଭକ୍ତଗଣ

ଆସି ଥରେ ସେହି କାଳେ ମଣ୍ଡିବ ପ୍ରାଙ୍ଗଣ ।

୧। କବି-ଶୁକ୍ର ।

 

(୧୯)

 

ଯେତେବେଳେ ଉଠିଥିବ ଶଶାଙ୍କ ଗଗନେ,

କୌମୁଦୀରେ ହେଉଥିବ ଦିଗ ଉଦ୍ଭାସିତ ।

ନଦୀସ୍ରୋତ ଚାଲୁଥିବ କଳକଳ ସ୍ୱନେ

ଉପଳପଟଳ ଅଙ୍ଗେ ହୋଇ ବିତାଡ଼ିତ ।

ଝକଝକ କରୁଥିବ ବିକମ୍ପିତ ଜଳ

ମୀନାହତ ସମୁତ୍‌ଥିତ ଜଳକଣାପୁଞ୍ଜ ।

ଥରଥର ହେଉଥିବେ ଅର୍ଥରି ସକଳ,

ମନୋହର ଦିଶୁଥିବ ବେତସନିକୁଞ୍ଜ ।

ପାଶେ ଥାଇ କରୁଥିବ ନାଥ, ବିଲୋକନ,

ଅବଶ୍ୟ ସେ ଦୃଶ୍ୟ ହେବ ନୟନରଞ୍ଜନ ।

 

(୨୦)

 

ପ୍ରଦୋଷେ ସରିତବକ୍ଷେ ବେତସଗହନେ

ଚଉଦିଗୁ ବକବୃନ୍ଦ ଆସି କଲେ ସଭା ।

ବିଚାରିବେ କୂଳେ ଥାଇ ଦୂରୁ ଦେଖି ଜନେ

କୁସୁମିତ ହୋଇଅଛି ମଲ୍ଲୀବନ ଅବା ।

ବାଦୁଡ଼ିଏ ଏଣେ ତୁମ ଦେଉଳ ଉପରେ

ରାବି ରାବି ଭ୍ରମୁଥିବେ ହରଷେ ସେ କାଳେ ।

କେତେ ବା ଲେଉଟି ନିଜ ଦଳର ଭିତରେ,

ଥରେ ଥରେ ଦୋଳୁଥିବେ ଲମ୍ବି ତରୁଡାଳେ ।

ଦେବ, ଦେବ ମନେ ମୁଦ ଆସିଲେ ଭାବୁକ,

ଦେଖାଇ ଉଭୟ ଦିଗେ ଦୁଇ କଉତୁକ ।

 

(୨୧)

 

ମାରୁଆଡ଼ିମାନେ କୋପ ନଦୀଜଳେ ହୁଳା-

ଜାଳି ଜାଳି ବୁଲୁଥିବେ ମତ୍ସ୍ୟଜୀବୀମାନେ ।

ବାଲୁକାରେ ସ୍ଥାନେ ସ୍ଥାନେ ଜଳୁଥିବ ଚୁଲ୍ଲା,

ଦୂରେ ଦୂରେ ଦିଶୁଥିବ ବହ୍ନି ସାନୁମାନେ ।

ବାଲିରେ ଗାମୁଛା ପାରି ନଗରନିବାସୀ

ଶୋଇ ବସି କରୁଥିବେ ଘର୍ମ ଉପଶମ ।

ଗଳ୍ପକଳ୍ପ ସ୍ରୋତେ ମନ ଯାଉଥିବ ଭାସି,

ଜଳଦକୁ ଲୋଡ଼ୁଥିବେ ଚାତକ ଉପମ ।

ବହ୍ନି-ଦୃଶ୍ୟ ଦେଖି ଦେଖି ଶୀତଳ ପବନ,

ସେ ସମୟେ ହେଉଥିବ ଦୟାର ଭବନ ।

 

(୨୨)

 

ଦେଖିଥିଲି ଥରେ ଆସି ରଜନୀ ସମୟ

ବାଲିବନ୍ଧା ଜଳ ସ୍ଥଳ ସୋପାନ ସହିତ ।

ଭିତ୍ତିବୀଧି ଶିରେ ଘେନି ପ୍ରଦୀପନିଚୟ

ରମ୍ୟ ଆଲୋକରେ ହେଉଥିଲା ଉଦ୍ଭାସିତ ।

 

କୋହ୍ଳବଧୂ ହଲ୍ଲୀସକ ମାଦଳ ବାଜଣା

ରାଜବୃନ୍ଦ ମାନସରେ ହେଉଥିଲା ତୋଷ ।

ସୈକତରେ ହୋଇ ବହ୍ନି କୌତୁକ ସର୍ଜନା

ପ୍ରସ୍ଫୁଟିତ କରୁଥିଲା ପ୍ରମୋଦର କୋଷ ।

ଶ୍ରୀ ସଚ୍ଚିଦାନନ୍ଦ ଦେବ ରାଜସିଂହାସନ-

ଲାଭ ଯୋଗୁ ହୋଇଥିଲା ସେହି ଆୟୋଜନ ।

 

(୨୩)

 

ହେଲା ନାଥ, ଏତିକିରେ ହେଉଛି ବିରତ,

ଲେଖନୀ ମାତର କରି ରଖୁଅଛି ବନ୍ଦ ।

କିନ୍ତୁ ଚିନ୍ତିବାରେ ସଦା ରହିବି ନିରତ

ତବ ସୁବିମଳ ପଦ-ଅରବିନ୍ଦଦ୍ୱନ୍ଦ ।

ନିତି ନିତି କରୁଥିବି ଏହି ଆବେଦନ-

ବ୍ରିଟିଶକେଶରୀଙ୍କର ହେଉ ଅଭ୍ୟୁଦୟ ।

ଅବ୍ୟାହତ ହେଉ ତାଙ୍କ କୋମଳ ଶାସନ,

ଯା ଯତନେ ତୁମ୍ଭ ପାଖେ ଶୋଭାର ଆଳୟ ।

ଜୟ ଜୟ ସୋମନାଥ, ସୋମନାଥ ଜୟ,

ପଞ୍ଚମ ଜର୍ଜଙ୍କୁ ଦିଅ ଆୟୁ ନିରାମୟ ।

 

ବର୍ଷା-ଚିତ୍ର

 

ନାଟ୍ୟକାର ପରି ଆସି ବରଷା ସମୟ

ଦେଖାଇଲା ଲୋକେ ନବ ନବ ଅଭିନୟ ।

କେତେବେଳେ ଏକ ଦିଗୁ ଉଠି ନବଘନ

ଦେଖୁଁ ଦେଖୁଁ ଢାଙ୍କିଦିଏ ସମସ୍ତ ଗଗନ ।

ଅନ୍ତରିତ ହୋଇଯାଏ ସ୍ୱର୍ଣ୍ଣ ବର୍ଣ୍ଣ ଖରା,

ଶ୍ୟାମ ସ୍ନିଗଧ ଛାୟାବୃତା ହୋଇଯାଏ ଧରା ।

ବସୁମତୀ ରାଣୀ ଅଙ୍ଗୁ ପୀତାମ୍ବର କାଢ଼ି

ପିନ୍ଧାଇ ଦିଏ କି ନବତନ ଶ୍ୟାମ ଶାଢ଼ୀ ?

କେବେ ପ୍ରାଚୀ ନୀଳ ନଭେ ସବିତାମଣ୍ଡଳ

ପ୍ରତୀଚୀ ମୂଳରେ ନୀଚ ନୀରଦପଟଳ ।

ସେ ଜଳଦେ ଇନ୍ଦ୍ରଚାପ ମନୋହର ଦିଶେ,

ଦିଗଙ୍ଗନାଯୁଗ କେଶ ରତ୍ନଭୂଷା କି ସେ ?

ମୟୂର ମୟୂରୀ ଏଣେ ଶିଖରୀ ଶିଖରେ

ନାଚୁଥାନ୍ତି ଉର୍ଦ୍ଧ୍ୱପୁଚ୍ଛେ ପ୍ରେମାନନ୍ଦଭରେ ।

ଭଦଭଦଳିଆ ପାଇ ପୁତ୍ତିକା ଆହାର

ଉଡ଼ି ବସୁଥାଏ ତରୁଚୂଡ଼େ ବାରମ୍ବାର ।

 

 

କଜ୍ଜଳପତ୍ରୀହିଁ ଥରେ ଥରେ ଛାଡ଼ି ସ୍ୱନ

ଉଡ଼ି କରୁଥାଏ କଙ୍କି, ଝିଣ୍ଟିକା ଭକ୍ଷଣ ।

ବଙ୍କିମେ ସ୍ପରଶି ହେମରୁଚି ରବିକର

ଝଲକାଉ ଥାଏ ତାଙ୍କ ଚାରୁ କଳେବର ।

କଦମ୍ବ କୁଟଜ ପଦ୍ମ ଆଦି ନାନା ଫୁଲ

ନବ ସୌର କରେ ହୁଏ ସୁନ୍ଦର ଅତୁଳ ।

ଇନ୍ଦ୍ର ନୀଳମଣିରୁଚି ମଞ୍ଜୁ ଜମ୍ବୁ ଫଳ

ତରୁଣ ଅରୁଣ କର କ୍ଷାଳିତ ଉଜ୍ଜ୍ୱଳ ।

ଶୁକଗଣ ସୁଖେ କରି ସେ ଜମ୍ବୁ ଆହାର

ଡାଳେ ଡାଳେ କରୁଥାନ୍ତି ଆନନ୍ଦେ ବିହାର ।

ମକରତ-ପତ୍ର ପଦ୍ମରାଗ-ଫଳାନ୍ୱିତ

ବହୁପଦ-ତରୁ ରବିକିରଣେ ମାର୍ଜିତ ।

ତହିଁ ବସି କାକ କରୁଥାଏ କାଆ କାଆ,

ବୋଲୁଥାଏ ପରା ବିଶ୍ୱପତି ‘‘ବାହା ବାଆ’’ ।

ଦେବାଳୟଚୂଡ଼ ସ୍ୱର୍ଣ୍ଣ-କଳସ ରୁଚିର,

କୁଷ୍ମାଣ୍ଡ କୁସୁମଚୟେ ଶୋଭଇ କୁଟୀର ।

 

 

ଦିଗମୂଳେ କେବେ ନୀଳ ଘନ ଦିଏ ଦେଖା

ଶୀର୍ଷରେ ଶୋଭଇ ତାର ଶୁଭ୍ର ଅଭ୍ରରେଖା ।

ଦିଗ୍‌ଗଜ ପୃଷ୍ଠରେ ରମ୍ୟ ରଜତ ଅମାରି

ଭ୍ରମ ଉପୁଜାଏ ସେହି ଦୃଶ୍ୟ ମନୋହରୀ ।

ବଳାହକ ତଳେ ନଭେ ବକମାଳ ଉଡ଼ି

ଦିଶେ ଯେହ୍ନେ ଗଜଗଳେ ରଜତ ଘାଗୁଡ଼ି ।

କେତେବେଳେ ପ୍ରଭଞ୍ଜନତାଡ଼ିତ ଆସାର

ଅବନୀରେ ପଡ଼େ ହୋଇ ଘନଚକ୍ର ଧାର ।

କେବଳ ଦିଶଇ ଚଉଦିଗ ଧାରାମୟୀ,

ଜଳଧରମୟ ବ୍ୟୋମ ଜଳମୟ ମହୀ ।

କୃଷିକ୍ଷେତ୍ରେ ବହେ ଜଳ ଲଙ୍ଘି କୃଷିବନ୍ଧ,

ପର୍ବତୁଁ ଝରଇ କରି ଝର୍ଝର ନିନାଦ ।

ଗଜଶୁଣ୍ଢ ସମ ଧାରା ଅଟ୍ଟାଳୀରୁ ଝରେ

ରୌପ୍ୟତାର ପରି ଛାଦୁଁ ପଡ଼େ ଘରେ ଘରେ ।

ସ୍ରୋତସ୍ୱିନୀ ବହେ ଖରେ ପ୍ଳାବି ବେନି କୂଳ

ଉତ୍ପାଟନ କରି ତଟ ବିଟପୀଙ୍କ ମୂଳ ।

 

 

ନଦୀର ଗର୍ଜନ ପୁଣି ବୃଷ୍ଟିର ଶବଦ

କଳରବ ଗ୍ରାସି କରେ ଅବନୀ ସ୍ତବଧ ।

କେତେବେଳେ ବାରିବିନ୍ଦୁ ଟପର ଟପର

ପଡ଼ି ନିନାଦିତ କରେ ପାଦପ ପତର ।

କାସାରେ ନାଚନ୍ତି ମୀନଗଣ ନବଜଳେ,

ଚାତକ କ୍ରୀଡ଼ଇ ମୁଦେ ଶ୍ୟାମ ଘନ ତଳେ ।

ଯୂଥ ଯୂଥ ମଦମତ୍ତ ବନଗଜଗଣ

କ୍ରୀଡ଼ନ୍ତି ଗଭୀର ନାଦେ କମ୍ପାଇ କାନନ ।

କେତେବେଳେ ଖସୁଥାଏ ବିରଳ ଶୀକର,

କେତେବେଳେ ବୃଷ୍ଟିହୀନ ବାଦଲ ମାତର ।

କେତେବେଳେ ପରଚଣ୍ଡ ଚଣ୍ଡାଂଶୁ କିରଣ

ଭୂପୃଷ୍ଠେ ଭୂଧର ଅଙ୍ଗେ କରେ ସଞ୍ଚରଣ ।

ଭୂଲତା ଭକ୍ଷଣେ ହୃଷ୍ଟ ସାର ଦଳ ଦଳ

କରନ୍ତି ମଧୁର ରବେ ପୂର୍ଣ୍ଣ ବନସ୍ଥଳ ।

ଦାବାନଳ ତାପମୁକ୍ତ ମୃଗଯୂଥ କାହିଁ

ଆନନ୍ଦେ ବୁଲନ୍ତି ନବତୃଣାଙ୍କୁର ଖାଇ ।

 

 

ମାଣିକ୍ୟମଞ୍ଜୁଳ କାହିଁ ଇନ୍ଦ୍ରଗୋପଗଣ

ବାଲିଆ ଭୂମିରେ କରିଥାନ୍ତି ସଞ୍ଚରଣ ।

ଇନ୍ଦ୍ରପୁରେ ଇନ୍ଦ୍ରଧନୁ ରତନ ତୋରଣ

ତୁଙ୍ଗ ତରୁ ଶିରେ ରମ୍ୟ କନକକିରଣ ।

ଲୋକମୁଦ କ୍ଷଣେ ଦେଇ ହୋଇ ମନୋହର

୧। ଇନ୍ଦ୍ରପୁର – ପୂର୍ବଦିଗ ।

 

କେବେ ଅବା ହସି ହସି ବୁଡ଼ନ୍ତି ଭାସ୍କର;

ମାଳ ମାଳ ପକ୍ୱତାଳ ବୃକ୍ଷରେ ସୁନ୍ଦର ।

ମସ୍ତକେ ପଡ଼ିବ ବୋଲି ମାନବକୁ ଡର;

ଆୟୁ ସ୍ମରଣ ନ କରି ରୂପ ଗର୍ବ ବହି ।

କନକବରଣ ଜହ୍ନି ଫୁଲ ବିକଶଇ,

କେବେ ଦୁଇ ଦିଗୁଁ ଉଠି ନୀରଦପଟଳ ।

ଗ୍ରାସଇ ତାରକାପୂର୍ଣ୍ଣ ଗଗନମଣ୍ଡଳ,

ରତନେ ମଣ୍ଡିତ ସୁରପ୍ରାସାଦର ବାଟ ।

ରୁଦ୍ଧ ହୁଏ କି ତା’ ପଡ଼ି ଯାଉଁଳି କବାଟ ?

ଗବାକ୍ଷ ପଥରେ ଜାଲି-ବାସ-ଆବରଣେ ।

 

 

ସୁରବାଳା ମୁଖ ଭ୍ରମ ଜନମାଇ ମନେ

ଏକ ଏକ ତେଜସ୍କର ତାରା ଗଗନରେ ।

ନିଷ୍ପ୍ରଭ ଦିଶନ୍ତି କେବେ ବିରଳ ଘନରେ,

କେତେବେଳେ ନୀଳ ନଭେ ପୂର୍ଣ୍ଣ କଳାକର ।

କୌମୁଦୀରେ ଧବଳିତ ବିଶ୍ୱଚରାଚର,

ତରୁ ତୃଣ, ଗୁଳ୍ମ, ଲତା, ପ୍ରାସାଦ, କୁଟୀର ।

ପାରଦମଣ୍ଡିତ ପରି ଦିଶନ୍ତି ରୁଚିର;

ଚନ୍ଦ୍ରିକା ଅମିୟ ସ୍ନିଗ୍‌ଧ ଲୋକ-ମୁଦମୟ ।

ହୋଇଯାଏ ପ୍ରକୃତିର ଉତ୍ସବ ସମୟ;

ପ୍ରଦୀପ୍ତ ଓଷଧି ଘେନି ହସଇ ଭୂଧର ।

ଘେନି ବୀଚି ପରମ୍ପରା ନାଚଇ ସାଗର;

ପ୍ରଫୁଲ୍ଲ ଯୂଥିକା ଘେନି ହସଇ ଉଦ୍ୟାନ ।

କାନନ ହସଇ ଘେନି ବନଫୁଲମାନ,

ସୁଗନ୍ଧ କୁସୁମରଜ ଧୀର ସମୀରଣ ।

ବହି, ସ୍ଥାନେ ସ୍ଥାନେ କରୁଥାଇ ବିତରଣ;

ଆମୋଦିତ ମନ, ନବ, ପଲ୍ଲିକା, ନଗର ।

 

 

ଭ୍ରମୁଥାନ୍ତି ଫୁଲେ ଫୁଲେ ପ୍ରମତ୍ତ ଭ୍ରମର;

କେତେବେଳେ ଘନଘଟା କୌମୁଦୀ ଗ୍ରାସଇ ।

କରଇ ଯେମନ୍ତେ କ୍ଷୀରପାନ କୃଷ୍ଣ-ଅହି,

ଜ୍ୟୋତ୍ସ୍ନାମୟୀ ନିଶା ହୁଏ ଉଷା ପରି ମ୍ଳାନ;

ଜୀବର ଶରୀର ଯଥା ହେଲେ ଗତପ୍ରାଣ;

କେବେ ଘୋର ଅନ୍ଧକାରେ ଧରଣୀ ମଗନେ,

ନାହିଁ ଚନ୍ଦ୍ର ନାହିଁ ତାରା ନ ଦିଶେ ଗଗନ,

ପଡ଼ିଯାଏ ଦୃଷ୍ଟିପଥେ ତିମିର କବାଟ,

ତମସିନ୍ଧୁ ଗର୍ଭେ ଲୀନ ପ୍ରକୃତି ବିରାଟ,

କେବଳ ଖଦ୍ୟୋତ ତମ-ସାଗର-ରତନ,

ଜ୍ୟୋତିରେ ଫିଟାଉଥାଏ ମାନବ ନୟନ;

ହ୍ରାଦିନୀର ଜ୍ୟୋତିର୍ମୟୀ ରେଖା ଥରେ ଥରେ

ଚମକି ଅଚିରେ ଲୁଚିଯାଏ ତରତରେ;

ନିଦ୍ରାଗତ ଜୀବଗଣ କଳରବ ନାହିଁ,

ରଜନୀ ଗର୍ଜ୍ଜନ-ସ୍ରୋତ ଚାଲେ ଝାଇଁଝାଇଁ;

କର୍କଟ ଦର୍ଦୂର ଆଦି ଛାଡ଼ୁଥାନ୍ତି ରଡ଼ି,

କ୍ଷଣେ କ୍ଷଣେ ହେଉଥାଏ ଘନ ଘଡ଼ଘଡ଼ି,

ହୃଦବନ ଦଗ୍‌ଧା ଯା’ର ଦୁଃଖ-ଦାବାନଳେ,

ଛଟପଟ ତା’ର ପ୍ରାଣ -କୁରଙ୍ଗ ବିକଳେ;

ଘୃଣା କରି ନିଦ୍ରା ତାର ନିକଟେ ନ ଯାଏ,

ନିଶି ଭୀଷଣତା ରୋଗ ତାହା ପାଇଁ ଥାଏ।

***